ଓୟୁଏଟି ପ୍ରବେଶିକା ପରୀକ୍ଷା ସ୍ଥଗିତ, ୨୦ ଯାଏ ବଢିଲା ଆବେଦନ ସମୟ ସୀମା

ଏପ୍ରିଲ ୨୫ ଯାଏ ବଢ଼ିଲା ଓଜେଇଇ ଆବେଦନ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ବିଭିନ୍ନ ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷାର ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଥିସହ ପ୍ରବେଶିକା ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ କୃଷି, ବନ ଓ ଗୋଷ୍ଠୀ ବିଜ୍ଞାନ ଭଳି ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୬ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେବେ କରୋନା ଯୋଗୁଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‍ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ ଫି’ ୨୧ ତାରିଖ ପର୍ଯ୍ୟନ୍ତ ଦାଖଲ କରିହେବ। ଚଳିତ ମାସ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଗଲା। ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁନର୍ବାର ନୂଆ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ବେହେରା କହିଛନ୍ତି।

ଏପ୍ରିଲ ୨୫ ଯାଏ ବଢ଼ିଲା ଓଜେଇଇ ଆବେଦନ
ଭୁବନେଶ୍ୱର : କରୋନାକୁ ନେଇ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନ୍‍ଲାଇନ୍‍ ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୭ରେ ପଞ୍ଜୀକରଣର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏବେ ତାହାକୁ ଏପ୍ରିଲ ୨୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ପରେ ଆଡମିଟ୍‍ କାର୍ଡ ପ୍ରଦାନ ସମ୍ବନ୍ଧରେ ସୂଚନା ଦିଆଯିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର