ଏପ୍ରିଲ ୨୯ରେ ଓୟୁଏଟି ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନସ୍ଥ କଲେଜଗୁଡ଼ିକରେ ପ୍ରାକ୍‌ ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ଏପ୍ରିଲ ୨୯ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା ହେବ। ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅଥବା ୨୦୧୮ରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ‘www.ouat.nic.in/https://lokaseba-odisha.in’ରେ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ପାଇଁ  ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୫ ରଖାଯାଇଛି। ବିଭିନ୍ନ କଲେଜରେ ନାମଲେଖା ପାଇଁ ଜୁଲାଇ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଓୟୁଏଟି ଭୁବନେଶ୍ୱର କାର୍ଯ୍ୟାଳୟରେ କାଉନସେଲିଂ କରାଯିବ।

ପରୀକ୍ଷାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ କିମ୍ବା ଜୀବ ବିଜ୍ଞାନ ଏବଂ ମାନସିକ ପ୍ରବଣତା ବିଷୟରୁ ୫୦ ମାର୍କ ଲେଖାଏ ପ୍ରଶ୍ନ ଆସିବ। ପରୀକ୍ଷାର୍ଥୀଙ୍କୁ ମୋଟ ୨୦୦ ମାର୍କର ପରୀକ୍ଷା ଦେବାକୁ ହେବ। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର(୧୯୨ ସିଟ୍‌), ଚିପିଲିମା(୬୦ ସିଟ୍‌), ଭବାନୀପାଟଣା (୬୦ ସିଟ୍‌), ଉଦ୍ୟାନ ବିଜ୍ଞାନ ମହାବିଦ୍ୟାଳୟ, ଚିପିଲିମା(୬୦ ସିଟ୍‌), ଭୁବନେଶ୍ୱରସ୍ଥିତ ବନ ବିଜ୍ଞାନ ମହାବିଦ୍ୟାଳୟ(୫୦ ସିଟ୍‌), ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ(୮୦ ସିଟ୍‌), କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ(୬୪ ସିଟ୍‌), କମ୍ୟୁନିଟି ବିଜ୍ଞାନ ମହାବିଦ୍ୟାଳୟ(୩୨ ସିଟ୍‌) ଓ ରଙ୍ଗେଇଲୁଣ୍ଡାସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ(୪୮ ସିଟ୍‌)ର ମୋଟ ୬୪୬ଟି ସିଟ୍‌ରେ ଛାତ୍ରଛାତ୍ରୀ ନାମଲେଖାର ସୁଯୋଗ ପାଇବେ ବୋଲି ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର