ଭୁବନେଶ୍ବର: ରାଜ୍ୟର ପ୍ରଥମ ତଥା ଏକମାତ୍ର କୃଷି ବିଶ୍ବବିଦ୍ୟାଳୟ ଭାବେ ଦେଶରେ ସୁନାମ ଅର୍ଜନ କରିଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ପରିସର ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ନୂତନ କିସମ ବିହନ ଉତ୍ପାଦନ କରି ଏହି ବିଶ୍ବବିଦ୍ୟାଳୟ ଜାତୀୟ ସ୍ତରରେ ନାଁ କମାଉଥିବା ବେଳେ ଅନ୍ୟପଟେ ଏକର ଏକର ଜମି ହରାଇ ଚାଲିଛି। ସରକାର ଓୟୁଏଟିକୁ ଜମି ଦେଇଥିବା ଘୋଷଣା କରୁଛନ୍ତି।  ଓୟୁଏଟି ଜମି ଦଖଲକୁ ମଧ୍ୟ ନେଉଛି। କିନ୍ତୁ କାଗଜପତ୍ରରେ ଏହି ଜମି ଓୟୁଏଟି ନାମକୁ ହସ୍ତାନ୍ତର କରାଯାଉନାହିଁ। ଫଳରେ ଓୟୁଏଟି ଏହି ଜମିରେ ଭିତ୍ତିଭୂମି ବିକାଶ କରିସାରିବା ପରେ ଅନ୍ୟ ଆବଶ୍ୟକତା ଦେଖାଇ ସରକାର ଏହି ଜମି ଓୟୁଏଟିଠାରୁ ଫେରାଇ ଆଣୁଛନ୍ତି। ଫଳରେ ଓୟୁଏଟିର ଗବେଷଣାଠାରୁ ଭିତ୍ତିଭୂମି ବିକାଶ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହେବାରେ ଲାଗିଛି। ଓୟୁଏଟି ଦଖଲରେ ଏବେ ୪୦୨୩.୯୦୬ ଏକର ଜମି ରହିଥିଲା ବେଳେ ରେକର୍ଡରେ ମାତ୍ର ୪୧୮.୫୫୯ ଏକର ରହିଛି। ଓୟୁଏଟି ଅଧୀନରେ ଥିବା ଜମିଗୁଡ଼ିକ ମଧ୍ୟରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ନାଁରେ ୧୩୪୭ ଏକର, ରାଜସ୍ବ ବିଭାଗ ନାଁରେ ୧୫୭୨ ଏକର, ଜଳସେଚନ ବିଭାଗ ନାଁରେ ୬୫୦ ଏକର, ଉଚ୍ଚଶିକ୍ଷା ବିଭାଗ ନାଁରେ ୧୫ଏକର, ଇଡ୍‌କୋ ନାଁରେ ୧୮ ଏକର ଜମି ରହିଛି। ଦଶ ଭାଗରୁ ଭାଗେ ଜମି କେବଳ ଓୟୁଏଟି ନାଁରେ ରେକର୍ଡ ଥିବାରୁ ବିଶ୍ବବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

Advertisment

ସୂଚନାଯୋଗ୍ୟ ଯେ ବରମୁଣ୍ଡା ଆଇଡଲ୍ ବସ୍ ପାର୍କିଂର ପୁନଃବିକାଶ ପ୍ରକଳ୍ପରେ ରାସ୍ତା ପ୍ରଶସ୍ତୀକରଣ ଲାଗି ସାଧାରଣ ପ୍ରଶାସନ ବିଭାଗର ୧.୦୫୪ ଏକର ଓ ୦.୨୨୩ ଏକର ଜମି ବିଡିଏକୁ ହସ୍ତାନ୍ତର କରାଯିବ। ମାତ୍ର ଏହି ଜମି ଓୟୁଏଟି ଦଖଲରୁ ଯିବା ପରେ ଓୟୁଏଟିର ପାଚେରି ଓ ଓୟୁଏଟି ଅନ୍ତର୍ଗତ ଟିସୁ କଲ୍‌ଚର୍‌ ବିଭାଗର ଏକ ବଡ଼ ଭାଗ ଉଚ୍ଛେଦ କରାଯିବ। ଯାହାର ପ୍ରଭାବ ସିଧାସଳଖ ଓୟୁଏଟି ଉପରେ ପଡ଼ିବ। ଅନୁରୂପ ଭାବେ ୨୦୩୦ ସୁଦ୍ଧା ଟିସୁ କଲ୍‌ଚର୍‌ ଉଦ୍ୟାନ ମଧ୍ୟଦେଇ ଏକ ୧୦୦ ଫୁଟିଆ ରାସ୍ତା ଯିବାର ଯୋଜନା ରହିଛି। ଏପରି ହେଲେ ସମ୍ପୂର୍ଣ୍ଣ ଟିସୁ କଲ୍‌ଚର୍‌ ଭବନ ମାଟିରେ ମିଶିଯିବ। ଯାହା ଓୟୁଏଟିର ଗବେଷଣାକୁ ଗଭୀର ଭାବେ ପ୍ରଭାବିତ କରିବ।

ରଣସିଂହପୁର ପଞ୍ଚାୟତସ୍ଥିତ ଏମ୍‌ସ ଭୁବନେଶ୍ବରର ସଂପ୍ରସାରଣ ଲାଗି ପ୍ରସ୍ତାବ ରହିଛି। ସେଠାରେ ଓୟୁଏଟିର ୪୫ ଏକର ଜମିରେ ଜାତୀୟ ପ୍ରତିଷ୍ଠାନ ଏଆଇସିଆର୍‌ପି ପକ୍ଷରୁ କାଜୁ ଗବେଷଣା ଚାଲିଛି। ଏମ୍‌ସର ସଂପ୍ରସାରଣ ହେଲେ ଏହି ଜମି ଓୟୁଏଟି ହାତରୁ ଚାଲିଯିବାର ଭୟ ରହିଛି। ଏଭଳି ପରିସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାପାଳ ସୂଚିତ କରିଛନ୍ତି ଯେ ଓୟୁଏଟି ଜମିକୁ ଅନ୍ୟ ସଂସ୍ଥାକୁ ଆବଣ୍ଟନ ପାଇଁ ବିଚାର କରାଯାଉଛି। ଏହାର ପ୍ରଭାବରେ କାଜୁ ଗବେଷଣା ପ୍ରଭାବିତ ହେବାର ଆଶଙ୍କା ରହିଛି। ୨୦୨୩ରେ ଜୈବିକ ପଦ୍ଧତିରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ ଲାଗି ଓୟୁଏଟି ଓ ବିଏମ୍‌ସି ମଧ୍ୟରେ ଏମ୍‌ଓୟୁ ହୋଇଥିଲା। ଏଥିରେ ବରମୁଣ୍ଡା ମୌଜାରେ ଥିବା ଓୟୁଏଟିର ୨.୫୦୬ ଏକର ଜମି ବିଏମ୍‌ସିକୁ ଯୋଗାଇ ଦିଆଯାଇଥିଲା। ମାତ୍ର ବିଏମ୍‌ସି ପ୍ରାୟ ୪.୮ ଏକର ଜମିକୁ ଅକ୍ତିଆର କରି ବାଉଣ୍ଡାରି ୱାଲ୍‌ ନିର୍ମାଣ କରିଛି। ବିଏମ୍‌ସିର ମନଇଚ୍ଛା ଜମି ଅଧିଗ୍ରହଣ ଓୟୁଏଟି ପରିସରକୁ ସଙ୍କୁଚିତ କରିବା ସହିତ ଶିକ୍ଷାନୁଷ୍ଠାନ ଉପରେ ପ୍ରଭାବ ପକାଉଛି।

ରାଜଧାନୀ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଓୟୁଏଟିର ସମାନ ଅବସ୍ଥା ଦେଖିବାକୁ ମିଳିଛି। କନ୍ଧମାଳଜିଲ୍ଲା ଶ୍ରୀରାମପଡ଼ାରେ ଜି. ଉଦୟଗିରି ବସ୍‌ଷ୍ଟାଣ୍ଡର ସଂପ୍ରସାରଣ ପାଇଁ ଓଡ଼ିଶା ପୁଲିସ ହାଉସିଂ ବୋର୍ଡ କୃଷି ବିଜ୍ଞାନ କେନ୍ଦ୍ରର ବାଉଣ୍ଡାରି ୱାଲ୍‌ର ୨୦ ମିଟର କ୍ଷତି କରିବା ସହିତ କ୍ୟାମ୍ପସ୍‌ ଭିତରେ ବିଦ୍ୟୁତ୍ ଖୁଣ୍ଟ ସ୍ଥାପନ କରିଛି। କାନ୍ଥ ଭାଙ୍ଗିବା ଫଳରେ ଅଧ ଏକର ଜମିରେ ଲାଗିଥିବା ଅଳସୀ ବିହନ ଗୋରୁଗାଈଙ୍କ ଉପଦ୍ରବରେ ନଷ୍ଟ ହୋଇଛି। ବିହନ ଉତ୍ପାଦନ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୯.୩୫ ଏକର ଜମିରେ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଓୟୁଏଟି ଦଖଲରେ ଥିବା ୦.୨୫ ଏକର ଜମି ବ୍ୟବହାର କରାଯିବ ବୋଲି ତହସିଲଦାର ସୂଚନା ଦେଇଥିଲେ। ମାତ୍ର ଜମି ଚିହ୍ନଟ ପରେ ବି ଠିକାଦାର ୦.୭୦ ଏକରରୁ ଅଧିକ ଜମିକୁ ଜବରଦଖଲ କରିଛି। ୧୯୮୪ ମସିହାରୁ ଓୟୁଏଟି ଏହି ଜମିକୁ ନିଜ ଅଧୀନରେ ରଖିଥିଲେ ମଧ୍ୟ ଏହାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ରେକର୍ଡ କରାଯାଇଛି। ସେହିପରି କୋରାପୁଟ ସେମିଳିଗୁଡ଼ା କୃଷି ବିଜ୍ଞାନ କେନ୍ଦ୍ରର ବହୁ ଜମିକୁ ସ୍ଥାନୀୟ ଗ୍ରାମବାସୀ ଜବରଦଖଲ କରି ଚାଷ ଆରମ୍ଭ କରିଛନ୍ତି।