ଚାଷୀଙ୍କ ଆୟ, ଶସ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ : ଜିଲ୍ଲାସ୍ତରରେ ଗବେଷଣା କରିବ ଓୟୁଏଟି

ଭୁବନେଶ୍ୱର : ୨୦୨୨ ସୁଦ୍ଧା ଓଡ଼ିଶାର ଚାଷୀଙ୍କ ଆୟ ଦ୍ୱିଗୁଣ କରିବା ଏବଂ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ପଦକ୍ଷେପ ହାତକୁ ନେଇଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)। ଅଧିକ ଉତ୍ପାଦନକ୍ଷମ ଡାଲି ଏବଂ ତୈଳବୀଜ ଫସଲ, ଧାନ, ମକା, ଗହମ ବିହନ ଚାଷୀଙ୍କ ନିକଟରେ ପହଞ୍ଚାଇବା ଲାଗି ଜିଲ୍ଲାସ୍ତରରେ ଗବେଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ଓୟୁଏଟି କର୍ତୃପକ୍ଷ।

ରାଜ୍ୟର ୬୧.୮୦ ଲକ୍ଷ ହେକ୍ଟର ଜମିରେ ଚାଷ ହେଉଛି। ସେଥିରୁ ୨୯.୧୪ ଲକ୍ଷ ହେକ୍ଟର ଉଚ୍ଚଜମି ଥିବା ବେଳେ ୧୭.୫୫ ହେକ୍ଟର ଜମି ମଧ୍ୟମ ଜମି ଏବଂ ୧୫.୧୧ ଲକ୍ଷ ହେକ୍ଟର ନିମ୍ନ କିସମ ଜମି ରହିଛି। ଋତୁ ଅନୁଯାୟୀ ଉକ୍ତ ଜମିରୁ କିଭଳି ଅଧିକ ଶସ୍ୟ ଉତ୍ପାଦିତ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଖରିଫ ସମୟରେ ଓଡ଼ିଶାରେ ଅଧିକ ପରିମାଣର ଧାନ ଉତ୍ପାଦିତ ହେଉଥିବା ବେଳେ ରବି ସମୟରେ ଡାଲି ଏବଂ ତୈଳବୀଜ ଫସଲ ଉତ୍ପାଦିତ ହେଉଛି। ତଥାପି ଆବଶ୍ୟକତା ଅନୁଯାୟୀ ଆଜି ପର୍ଯ୍ୟନ୍ତ ଡାଲି ଉତ୍ପାଦିତ ହୋଇପାରିନି। ଓଡ଼ିଶାରେ ପ୍ରତିବର୍ଷ ଡାଲିର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଓୟୁଏଟି ପକ୍ଷରୁ ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ, ଦେବଗଡ଼, କଳାହାଣ୍ଡି, କେନ୍ଦୁଝର ପରି ଜିଲ୍ଲାରେ ଡାଲି ବିହନ ହବ୍‌ କରାଯାଇଛି। ଏହାର ସମ୍ପ୍ରସାରଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଧାନ ଚାଷ କରିବା ପରେ ଜମି ପଡ଼ିଆ ପଡ଼ୁଥିବାରୁ କୃଷକମାନେ ସେଠାରେ ଯେପରି ମଟର, ମସୁର, ବୁଟ ପରି ଡାଲିଜାତୀୟ ଫସଲ ଚାଷ କରିପାରିବେ ତାହା ଉପରେ ଗବେଷଣା କରାଯାଉଛି। ଡାଲିଜାତୀୟ ଫସଲ ଉପରେ ଗବେଷଣା ଲାଗି କେନ୍ଦ୍ର, ରାଜ୍ୟ ଓ ଓୟୁଏଟି ମିଳିତ ଭାବେ ଗବେଷଣା କରିବା ଦିଗରେ ପଦକ୍ଷେପ ନେଇଛନ୍ତି।

ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଚାଷୀଙ୍କ ଆୟ ଦୁଇ ଗୁଣ କରିବା ସହ ଶସ୍ୟ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଚାଷୀଙ୍କ ନିକଟରେ ଜ୍ଞାନକୌଶଳ ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ଏଥିସହ ବଜାର ଦର ସ୍ଥିର, ବାହାର ରାଜ୍ୟକୁ ଖାଦ୍ୟଶସ୍ୟ ରତ୍ପାନି, ସଂରକ୍ଷଣ ବ୍ୟବସ୍ଥା କରିବା ଦିଗରେ ରାଜ୍ୟ ସରକାରଙ୍କ ସହଯୋଗ ଦରକାର। ଆମ ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ଧାନ ଉତ୍ପାଦିତ ହେଉଛି। ତେଣୁ ବର୍ତ୍ତମାନ ସମୟରେ ଡାଲିଜାତୀୟ ଏବଂ ପନିପରିବା ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି। ଚାଷୀମାନେ କ୍ଲଷ୍ଟର୍‌ କରି ଚାଷ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ଓୟୁଏଟି ପ୍ରତି ଜିଲ୍ଲା ପାଇଁ ଯୋଜନା କରୁଛି। ପ୍ରତ୍ୟେକ ଜିଲ୍ଲାର ଜଳବାୟୁ, ମାଟିକୁ ନେଇ ପରୀକ୍ଷାନିରୀକ୍ଷା ଜାରି ରହିଛି। ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ସହ ମତ୍ସ୍ୟ ଓ ପ୍ରାଣୀ ବିଜ୍ଞାନ କ୍ଷେତ୍ରରେ ଯେପରି ସଫଳତା ମିଳିପାରିବ ସେଥିପ୍ର୍ରତି ପ୍ରାଥମିକତା ଦିଆଯାଉଛି। ୨୦୨୨ ସୁଦ୍ଧା ଲକ୍ଷ୍ୟ ସ୍ଥଳ ଛୁଇଁବୁ ବୋଲି କୁଳପତି ପ୍ରଫେସର ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର