ଉଦ୍ୟାନକୃଷି ଡିଗ୍ରିକୁ ଉପେକ୍ଷା!, ଓୟୁଏଟି ଛାତ୍ରଛ‌ାତ୍ରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ

ସମ୍ବଲପୁର : ଶତ ପ୍ରତିଶତ ନିଯୁକ୍ତି ଦାବି ନେଇ ସମ୍ବଲପୁର ଜିଲ୍ଲା ଚିପିଲିମା ଓୟୁଏଟି ସ୍ଥିତ ଉଦ୍ୟାନ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଅନୁଷ୍ଠାନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆନଯିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ହରତାଳ ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ଭୁବନେଶ୍ବରସ୍ଥିତ ଉଦ୍ୟାନ ବିଭାଗ ନିର୍ଦେଶକ ଓ ପ୍ରମୁଖ ସଚିବଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଛାତ୍ରଛାତ୍ରୀଙ୍କ ୨ ପ୍ରମୁଖ ଦାବି ରହିଛି। ଗୋଟିଏ ଦାବି ହେଉଛି, ସହକାରୀ ଉଦ୍ୟାନ କୃଷି ଅଧିକାରୀ(ଏଏଚ୍‌ଓ) ପଦବି ପାଇଁ କେବଳ ହର୍ଟିକଲଚର ବିଭାଗର ଛାତ୍ରଛାତ୍ରୀଙ୍କୁ ହିଁ ସୁଯୋଗ ମିଳୁ। ଦ୍ବିତୀୟଟି, ବିଏସ୍‌ସି ହର୍ଟିକଲଚରକୁ ନିଯୁକ୍ତି ବୋର୍ଡରେ ପୂର୍ଣ୍ଣ ସ୍ବୀକୃତି ପ୍ରଦାନ କରାଯାଉ। ଏହି ୨ ପ୍ରମୁଖ ଦାବି ସମେତ ୫ ଦଫା ପ୍ରଶ୍ନ ଉତ୍‌ଥାପନ କରି ଛାତ୍ରଛାତ୍ରୀମାନେ ୩ ଦିନ ହେବ ଆନ୍ଦୋଳନରତ ଅଛନ୍ତି।

ଏହି ଆନ୍ଦୋଳନ ସମ୍ପର୍କରେ ଛାତ୍ରଛାତ୍ରୀ ସହକାରୀ ଡିନ୍‌ ପ୍ରଫେସର ରବି ନାରାୟଣ ପଟ୍ଟନାୟକଙ୍କୁ ଓ କୁଳପତିଙ୍କୁ ମଧ୍ୟ ଅବଗତ କରାଇଛନ୍ତି। କିଛି ଛାତ୍ରଛାତ୍ରୀ ସ୍ଥାନୀୟ ବିଧାୟକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଏନେଇ ସହକାରୀ ଡିନ୍‌ ପ୍ରଫେସର ପଟ୍ଟନାୟକଙ୍କୁ ପଚାରିବାରେ ସେ ଭୁବ‌ନେଶ୍ବର ଯାଇ କୁଳପତିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି। ହର୍ଟିକଲଚର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ନମିଳିବା ଯୋଗୁଁ କେବଳ ଯେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯାଉଛି ତାହା ନୁହେଁ ବରଂ ଚିପିଲିମା ଉଦ୍ୟାନ କୃଷି ମହାବିଦ୍ୟାଳୟର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ପ୍ରଫେସର ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର