ରାଗିଂ ଅଭିଯୋଗରେ ଛାତ୍ରଙ୍କୁ ଡିନ୍‌ଙ୍କ ମାଡ଼! ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ସମ୍ବଲପୁର/ଧନକଉଡ଼ା : ସମ୍ବଲପୁର ଜିଲ୍ଲା ଚିପିଲିମା ଓୟୁଏଟିରେ କନିଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରଙ୍କ ରାଗିଂ ଅଭିଯୋଗ ଆସିଛି । ତେବେ, ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓୟୁଏଟି ଡିନ୍ ନିଜେ ମାଡ଼ପିଟ କରିଛନ୍ତି। ଡିନ୍ ନିଜେ ମଧ୍ୟ ଏକଥା ସ୍ବୀକାର କରିଥିବା ବେଳେ ଆଜି ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଲା, ଗତକାଲି ଅପରାହ୍‌ଣ ସାଢ଼େ ୫ଟା ସମୟରେ ଓୟୁଏଟି ପରିସରରେ‌ କେତେକ ଛାତ୍ରଛାତ୍ରୀ ଗୁରୁଦିବସ ପାଳନ ପାଇଁ ଆଲୋଚନା କରୁଥିଲେ। ଏହି ସମୟରେ ଡିନ୍‌ଙ୍କ ଗାଡ଼ି ଆସି ସେମାନଙ୍କ ପାଖରେ ଅଟକି ଥିଲା। ଡିନ୍‌ ନିଜ କାର୍‌ରୁ ଓହ୍ଲାଇ ପଡ଼ି ଛିଡ଼ା ହୋଇଥିବା ୬-୭ ଜଣ ଛାତ୍ରଙ୍କୁ ଆଖିବୁଜା ପିଟି ଥିଲେ। ‘ଓୟୁଏଟି‌ରେ ରାଗିଂ ହେବାକୁ ଦେବେ ନାହିଁ। ଶିକ୍ଷାନୁଷ୍ଠାନ ବଦନାମ ହେବ’ ବୋଲି କହି ପିଟିଥିଲେ। ଛାତ୍ରୀମାନଙ୍କ ବି ‘ଚୋପା ଛଡ଼ାଇଦେବି’ ବୋଲି କହିଥିଲେ। ମାଡ଼ରେ ‌କେତେକ ଛାତ୍ରଙ୍କ ହାତ ଫୁଲି ଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆଜି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଘଟଣା ପାଇଁ ସେମାନେ ଡିନ୍‌ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ।

ଛାତ୍ରଛାତ୍ରୀମାନେ କହିଛନ୍ତି, କଲେଜରେ ରାଗିଂ ହୋଇ ନାହିଁ। ଡିନ୍ କହିବା ପରେ ବି କୌଣସି ଛାତ୍ର ଅଭିଯୋଗ କରିନାହାନ୍ତି। ବରଂ, ଆନ୍ଦୋଳନର କନିଷ୍ଠ, ବରିଷ୍ଠ ସବୁ ଛାତ୍ର ମିଶି ଡିନ୍‌ଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଡିନ୍ ନିଜ ଦୋଷ ଲୁଚାଇବା ପାଇଁ ରାଗିଂ ହୋଇଥିବା ଅଭିଯୋଗ ଆଣୁଛନ୍ତି ବୋଲି ସେମାନେ କହିଛନ୍ତି। କେବଳ ସେତିକି ନୁହେଁ, କନିଷ୍ଠ ଓ ବରିଷ୍ଠ ଛାତ୍ରଙ୍କ ପାଇଁ ଅଲଗା ଅଲଗା ହଷ୍ଟେଲ ବ୍ୟବସ୍ଥା ଏବଂ ଆନ୍ଦୋଳନ କରୁଥିବା ନେଇ ରାଗ ରଖି ଆଗାମୀ ଦିନରେ ‘ଉଦ୍ଦେଶ୍ୟମୂଳକ ମାର୍କ କାଟିବା’ର ଆଶଙ୍କା ରହିଛି। ତେଣୁ ମାର୍କ ନକାଟିବା ନେଇ ବି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବାକୁ ସେମାନେ ଦାବି କରିଥିଲେ। ଡିନ୍ ଛାତ୍ରଛାତ୍ରୀଙ୍କୁ ଭୁଲ୍ ମାଗିବା ସହିତ ଅନ୍ୟ ଦାବିଗୁଡ଼ିକ ପୂରଣ ପାଇଁ ବି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ରାତି ସାଢ଼େ ୯ଟାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଏ ସଂକ୍ରାନ୍ତରେ ଡିନ୍ ଡ. ରବି ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ପ୍ରଥମ ବର୍ଷ ଛାତ୍ରଙ୍କ ନାମଲେଖା ଏପର୍ଯ୍ୟନ୍ତ ହୋଇନାହିଁ। କରୋନା ଯୋଗୁଁ ଗତ ବର୍ଷ କଲେଜ ବନ୍ଦ ରହିଥିଲା। କଲେଜ ଖୋଲିବା ପରେ ଗତ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ (ବର୍ତ୍ତମାନ ଦ୍ବିତୀୟ ବର୍ଷ) ଏବେ ଆସିଛନ୍ତି। ବରିଷ୍ଠ ଛାତ୍ରଛାତ୍ରୀମାନେ ନୂଆ ପୋଷାକ, ଯୋତା ଆଦି ପିନ୍ଧି ଆସିବା ପାଇଁ କହିବା ସହିତ ବିଭିନ୍ନ ପ୍ରକାର ରାଗିଂ କରୁଛନ୍ତି। କେତେକ ଅଭିଭାବକ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ରାଗିଂ ହେଲେ ଶିକ୍ଷାନୁଷ୍ଠାନ ବଦନାମ ହେବ। ତେଣୁ ଗତକାଲି ତାଗିଦ କରିବା ଢଂଗରେ ୨-୩ ଜଣ ଛାତ୍ରଙ୍କୁ ପିଟିଥିଲେ ବୋଲି ସେ କହିଛନ୍ତି। ଯେହେତୁ ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି ‘ଏକ ପରିବାରର ବାପା’ ସଦୃଶ ପିଲାମାନଙ୍କଠାରେ ଭୁଲ୍‌ ମାଗିଛି ବୋଲି ଡ. ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର