ଓୟୁଏଟି କୁଳପତି ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା

କଟକ : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର କୁଳପତି ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କୁଳପତି ନିଯୁକ୍ତି ପାଇଁ ଗଠନ କରାଯାଇଥିବା ସର୍ଚ୍ଚ କମିଟି ସାକ୍ଷାତକାର ଯେଉଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା ତାହାର ବୈଧତାକୁ ନେଇ ଆବେଦନରେ ପ୍ରଶ୍ନ ଉଠାଯାଇଛି। କେଉଁ ଆଧାରରେ ପ୍ରାର୍ଥୀଙ୍କୁ ସାକ୍ଷତାକାର ଲାଗି ଚୟନ କରାଯାଇଥିଲା ତାହା ସ୍ପଷ୍ଟ ହେଉ ନାହିଁ ବୋଲି ଇଣ୍ଡିଆନ କାଉନସିଲ ଅଫ୍ ଏଗ୍ରିକଲଚର ରିସର୍ଚ୍ଚର ଡିଭିଜନ ମୁଖ୍ୟ ତଥା ପ୍ରମୁଖ ବୈଜ୍ଞାନିକ ଡକ୍ଟର ବିମଳ ପ୍ରସନ୍ନ ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନରେ ଦର୍ଶାଯାଇଛି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୨୦୧୯, ଫେବ୍ରୁଆରି ୧୩ରେ ଓୟୁଏଟି କୁଳପତି ନିଯୁକ୍ତି ପାଇଁ ଦରଖାସ୍ତ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନକାରୀ ଏହି ପଦବି ପାଇଁ ୨୦୧୯, ମାର୍ଚ୍ଚ ୧ରେ ଆବେଦନ କରିଥିଲେ। ଅନ୍ୟପକ୍ଷରେ ଓୟୁଏଟି କୁଳାଧିପତି ନୂଆ କୁଳପତି ଚୟନ ପାଇଁ ଏକ ସର୍ଚ୍ଚ କମିଟି ଗଠନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସାକ୍ଷାତକାର ପାଇଁ କଡାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଆବେଦନକାରୀଙ୍କୁ ସ୍ଥାନ ଦିଆଯାଇ ନଥିଲା। ଓୟୁଏଟି କୁଳପତି ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଥିବା ସମସ୍ତ ସର୍ତ୍ତାବଳୀ ପୂରଣ ସହିତ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଆବେଦନକାରୀଙ୍କ ଥିବା ବେଳେ ତାଙ୍କୁ କେଉଁ କାରଣରୁ ସାକ୍ଷତକାର ପାଇଁ ଡକାଯାଇ ନଥିଲା ତାହା କିନ୍ତୁ ସ୍ପଷ୍ଟ ହୋଇ ନଥିଲା। ଏଥି ସହିତ କେଉଁ ଆଧାରରେ ସାକ୍ଷାତକାର ଲାଗି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଥିଲା ସେ ନେଇ ମଧ୍ୟ କିଛି ଅବଗତ କରାଯାଇ ନଥିଲା। ୟୁଜିସି ନିୟମାବଳୀ ଅନୁସାରେ କୁଳପତି ପଦରେ ନିଯୁକ୍ତି ପାଇିବା ପାଇଁ ଆବେଦନକାରୀଙ୍କ ଆବଶ୍ୟକ ସମସ୍ତ ଯୋଗ୍ୟତା ଥିବା ବେଳେ ତାଙ୍କୁ ଚୂଡାନ୍ତ ତାଲିକାରେ ସ୍ଥାନ ଦିଆ ନଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ କୃଷି ସଚିବ, ଓୟୁଏଟି କୁଳାଧିପତି ଓ ସର୍ଚ୍ଚ କମଟିକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର