ଓୟୁଏଟି କୁଳପତିଙ୍କ ବିରୋଧରେ ଜାଲିଆତି ଅଭିଯୋଗ : ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଏବେ ଅଡୁଆରେ ଓୟୁଏଟି କୁଳପତି । ଓୟୁଏଟି ଭିସି ସୁରେନ୍ଦ୍ର ନାଥ ପଶୁପାଳକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ଲେଖାଯାଇଛି । ନିଜ ପଦବୀର ଅପବ୍ୟବହାର କରି ସୁରେନ୍ଦ୍ର ନାଥ ପଶୁପାଳକ ଦୁର୍ନୀତି କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ତଦନ୍ତ ପାଇଁ ନିଷ୍ପତ୍ତି ନେଇଛି ଓଡିଶା ରାଜଭବନ । ଫଳରେ ଓୟୁଏଟି ଭିସି ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅଡୁଆ ବଢିଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଓଡିଶା ରାଜଭବନ ତରଫରୁ ଚିଠି ଲେଖା ଯାଇଛି । ଏହା ସହ ସୁରେନ୍ଦ୍ରନାଥ ପଶୁପାଳକଙ୍କ ବିରୋଧରେ ଭିଜିଲାନ୍ସ ମାମଲା କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପେନସନ ପାଇଁ ଜାଲିଆତି । ନିଜର ପେନସନ କରାଇବା ଲାଗି ଜାଲିଆତି କରିଛନ୍ତି ଓୟୁଏଟି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ । ଏଭଳି ସଂଗୀନ ଅଭିଯୋଗ ଆସିବା ପରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ପରାମର୍ଶ ଦେଇଛନ୍ତି । ନିଜର ଚାକିରି କାର୍ଯ୍ୟକାଳରେ ଜାଲିଆତି କରି ପେନସନ ଉପଯୋଗୀ କରିବା, ନିଯୁକ୍ତି, ନାମଲେଖା ତଥା ଭିତିଭୂମିରେ ଦୁର୍ନିତୀ କରିଥିବା ଅଭିଯୋଗ ଆସିଛି ପଶୁପାଳକଙ୍କ ବିରୋଧରେ ।

ଓୟୁଏଟିର ପୂର୍ବତନ ଆସିଷ୍ଟାଂଟ ରେଜିଷ୍ଟ୍ରାର ପ୍ରମୋଦ ଜେନା ଏନେଇ ଆରଟିଆଇ ତଥ୍ୟ ଉପକୁଳାଧିପତି ଓ କୁଳପତିଙ୍କୁ ଦାଖଲ କରିଥିଲେ । ଅଭିଯୋଗକୁ ଆଧାର କରି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ତଦନ୍ତ ପାଇଁ ପରାମର୍ଶ ଦେବାସହ ୬ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ କୁହାଯାଇଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି ପଶୁପାଳକ । କୌଣସି ଭୁଲ କରିନି । ପୂର୍ବତନ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ପ୍ରମୋଦ ଜେନାଙ୍କ ନାମରେ ବହୁତ ଗୁଡିଏ ଅଭିଯୋଗ ଥିଲା ଏବଂ ମୁଁ କାର୍ଯ୍ୟାନୁଷ୍ଠାନ ନେଇଥିଲି । ନିୟମ ତା ବାଟରେ ଯିବ ଓ ମୋତେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ କିଛି ପଚରାଯାଇନଥିବା କହିଛନ୍ତି ପଶୁପାଳକ ।

ସମ୍ବନ୍ଧିତ ଖବର