ସତର୍କ କରାଇଲା ଓୟୁଏଟି

ଅନିୟମିତ ବର୍ଷା ପରେ ଫସଲକୁ ରୋଗ, ପୋକ ଭୟ

ଧାନକୁ କେଣ୍ଡାକଟା ପୋକ ଆକ୍ରମଣ ଆଶଙ୍କା

ଭୁବନେଶ୍ୱର : ଚାଷୀଙ୍କ ଜମିରେ ଚକଡ଼ା ପୋକ ଚଡ଼କ ପଡ଼ିଛି। ଯେଉଁଥିପାଇଁ ଏକର ଏକର ହେକ୍ଟର ଚାଷ ଜମିରେ ଚାଷୀମାନେ ନିଆଁ ଲଗାଇବା ସହ ଆତ୍ମହତ୍ୟା ବି କରିଛନ୍ତି। ପରିସ୍ଥିତିରେ କିଛିଟା ସୁଧାର ଆସିଥିବା ବେଳେ ଗତ ସପ୍ତାହରେ ଅନିୟମିତ ବର୍ଷା ଯୋଗୁଁ ବିଭିନ୍ନ ଫସଲରେ ରୋଗପୋକ ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛି ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ(ଓୟୁଏଟି) ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ। ଧାନ ସମେତ ଡାଲି ଜାତୀୟ, ତୈଳବୀଜ, ପନିପରିବା ଫସଲରେ କେଉଁ ପୋକ ଲାଗିବାର ଆଶଙ୍କା ରହିଛି। ଏହାର ପ୍ରତିକାର ଲାଗି କିଭଳି ଔଷଧ ସିଞ୍ଚନ କରିବେ ସେନେଇ ପରାମର୍ଶ ଦିଆଯାଇଛି।

ବର୍ଷା ଛାଡ଼ିଗଲା ପରେ ଧାନ ଫସଲରେ କେଣ୍ଡାକଟା ପୋକ ଆକ୍ରମଣର କରିବାର ବହୁ ଆଶଙ୍କା ରହିଛି। ଯଦି କେଉଁଠାରେ ବି ଏହି ପୋକ ଲାଗିଥିବା ଜଣାପଡ଼ିବ ଚାଷୀମାନେ ଅପରାହ୍ନରେ ପ୍ରତି ଲିଟର ପାଣିରେ ୨ ମିଲି ଫିପ୍ରୋନିଲ୍‌ ୫% ଏସ୍‌ସି କିମ୍ବା ୧ ମିଲି ଡାଇକ୍ଲୋରୋଭସ୍‌ ୭୬% ଇସି ମିଶାଇ ଏକର ପ୍ରତି ୨୦୦ ଲିଟର କୀଟନାଶକ ମିଶ୍ରଣ ସିଞ୍ଚନ କରନ୍ତୁ। କେଣ୍ଡାକଟା ପୋକ ଗୋଟିଏ ଜମିରୁ ଅନ୍ୟ ଗୋଟିଏ ଜମିକୁ ନ ବ୍ୟାପିପାରେ। ଏଥିପାଇଁ ହୁଡ଼ାରେ କ୍ଲୋର୍‌ପାଇରିଫସ୍‌ ୧.୫% ଗୁଣ୍ଡ ବହଳିଆ ଭାବେ ବିଞ୍ଚିିଦିଅନ୍ତୁ।

ମୁଗ/ବିରି ଫସଲରେ କାଳିମୁଣ୍ଡି ପୋକ ବା ପତ୍ରଖିଆ ଗୋଟି ପୋକ, ଜଉ ପୋକ, ସଁବାଳୁଆ, ପାଉଁଶିଆ, ମୂଳଶଢ଼ା ଜନିତ ଝାଉଁଳା ରୋଗ, ସାହେବୀ ରୋଗ, ହରଡ଼ ଫସଲରେ ଫଳବିନ୍ଧା, ଫୁଲ ଓ କଢ଼ଖିଆ ପୋକ ଲାଗିବାର ଆଶଙ୍କା ରହିଛି। ସେହିପରି ତୈଳବୀଜ ଜାତୀୟ ଫସଲରେ ବି ରୋଗ, ପୋକ ଲାଗିପାରେ। ଚିନାବାଦାମ ଫସଲରେ କାଳିମୁଣ୍ଡି ପୋକ, ସଁବାଳୁଆ, ଜଉପୋକ, ବେକଶଢ଼ା, ପତ୍ରଦାଗ ରୋଗ (ଟୀକା ରୋଗ) ଓ ସ୍କ୍ଲେରୋସିଅମ୍‌ ଜନିତ ଝାଉଁଳା ରୋଗ ହୋଇପାରେ। ରାଶି ଫସଲରେ ପତ୍ରଛନ୍ଦା ପୋକ, ସୋରିଷରେ ଜଉ ପୋକ ଲାଗିବାର ଆଶଙ୍କା ଥିବାରୁ ଚାଷୀମାନେ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଅନୁରୂପ ଭାବେ ବନ୍ଧାକୋବି, ଫୁଲକୋବି, ଓଲୋକୋବି ଆଦି ଫସଲରେ ପତ୍ରଖିଆ ପୋକ ସହ ଝାଉଁଳା, କଳାଶଢ଼ା ରୋଗ, ବାଇଗଣ ଓ ବିଲାତି ବାଇଗଣର ଝାଉଁଳା ରୋଗ ଦେଖାଦେଇପାରେ। ବର୍ଷା ଛାଡ଼ିଗଲା ପରେ ଉତ୍ତାପ ବୃଦ୍ଧି ପାଇବା ଦ୍ୱାରା ଲଙ୍କାମରିଚରେ ଥ୍ରିପସ୍‌ ଓ ଅଷ୍ଟପଦୀ, ବିନ୍‌/ଶିମ୍ବ ଫସଲରେ ଘୋଡ଼ା ପୋକ ଲାଗିବାର ବହୁ ସମ୍ଭାବନା ରହିଛି।

ଗେଣ୍ଡୁ ଫୁଲରେ କଢ଼ ଓ ଫୁଲଖିଆ ପୋକ, ଗୋଲାପରେ ଅଷ୍ଟପଦୀ ପୋକ, ଅଗଶଢ଼ା, କଳାଦାଗ, ପାଉଁଶିଆ ରୋଗ, ରଜନୀଗନ୍ଧାରେ ଉଚ୍ଛୁର ପତ୍ରପୋଡ଼ା ରୋଗ, କାଣ୍ଡଶଢ଼ା ରୋଗ, ଚେରଗଣ୍ଠି ସୂତ୍ରଜୀବ ଲାଗିପାରେ। ଫଳ ଜାତୀୟ ଫସଲ କଦଳୀରେ ସିଗାଟୋକା ପତ୍ରଦାଗ ରୋଗ, ଅମୃତଭଣ୍ଡାରେ ଦହିଆ ପୋକ, ନଡ଼ିଆର ନାଲି ଘୁଣି ପୋକ, ଗଣ୍ଡାପୋକ ଲାଗିପାରେ। କେଉଁ ରୋଗ ପାଇଁ କେଉଁ କୀଟନାଶକ କେତେ ପରିମାଣରେ ବ୍ୟବହାର କରାଯିବ ସେନେଇ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର