ଭୁବନେଶ୍ୱର : କୁକୁଡ଼ା ଗବେଷଣା କ୍ଷେତ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ପୁଣି ଏକ ସଫଳତା ମିଳିଛି। ଏଠାକାର ବୈଜ୍ଞାନିକମାନେ ‘ପଲ୍ଲୀରାଜା’ ପରେ ଆଉ ଏକ ନୂଆ ପ୍ରଜାତିର କୁକୁଡ଼ା ବିକଶିତ କରିଛନ୍ତି। ୫ ବର୍ଷର ଗବେଷଣା ପରେ ନୂଆ ପ୍ରଜାତି ବାହାରିବା ସହ ଚାଷୀଙ୍କ ନିକଟରେ ବେଶ ଆଦୃତି ଲାଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ପୁରୀ ଜିଲ୍ଲାର କାକଟପୁର ଓ ଜଗତ୍ସିଂହପୁର ଜିଲ୍ଲାର ଚାଷୀଙ୍କୁ ଏହି ପ୍ରଜାତିର କୁକୁଡ଼ା ଚାଷ ପାଇଁ ଦିଆଯାଇଥିଲା। ୩ ମାସ ପରେ ଦେଖିବାକୁ ମିଳିଛି ଯେ ଚାଷୀଙ୍କ ନିକଟରେ ଏହା ସଫଳ ହୋଇଛି। ଉକ୍ତ ଦୁଇ ଜିଲ୍ଲାର ଜଳବାୟୁରେ ଏହି ପ୍ରଜାତି ତିଷ୍ଠି ରହିପାରୁଛନ୍ତି। ୪୨ ଡିଗ୍ରି ପର୍ଯ୍ୟନ୍ତ ତାତିକୁ ସହ୍ୟ କରିପାରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ୨୦୧୯ ଜାନୁଆରିରେ ଏହାକୁ ପରୀକ୍ଷାମୂଳକ ଭାବେ ସାରା ରାଜ୍ୟରେ ଚାଷ କରିବାକୁ ଦିଆଯିବ। ଜଳବାୟୁ ଅନୁଯାୟୀ ଏହି ପ୍ରଜାତିର କୁକୁଡ଼ା କିଭଳି ରହୁଛନ୍ତି, ଅନୁଧ୍ୟାନ କରାଯିବ। ଏଥିପାଇଁ ଆଉ ଦୁଇବର୍ଷ ସମୟ ଲାଗିବ। ୨୦୨୦ ବେଳକୁ ଓଡ଼ିଶା ବଜାରରେ ଓଡ଼ିଶାର କୁକୁଡ଼ା ଉପଲବ୍ଧ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
୨୦୧୩-୧୪ରେ ଓୟୁଏଟି କୁକୁଡ଼ା ପାଳନ ବିଭାଗର ବୈଜ୍ଞାନିକମାନେ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ। ବରେଲିସ୍ଥିତ କେନ୍ଦ୍ରୀୟ କୁକୁଡ଼ା ଗବେଷଣା କେନ୍ଦ୍ରରୁ ଅଣାଯାଇଥିବା ‘ବ୍ରଏଲର ଚିଆଁ’ ସହ ମୟୂରଭଞ୍ଜର ଦେଶୀ ପ୍ରଜାତି ‘ହାଂସଲି’ର ମିଳନ କରାଇ ଅନୁଧ୍ୟାନ କରିଥିଲେ। ସେମାନେ ଦେଖିବାକୁ ପାଇଥିଲେ ଯେ ବ୍ରଏଲର କୁକୁଡ଼ାର ଶରୀର ଆକାର ‘ହାଂସଲି’ଠାରୁ ବଡ଼ ଓ ଶୀଘ୍ର ବଢ଼ି ଯାଉଛି। ‘ହାଂସଲି’ କୁକୁଡ଼ା ଖରା ଓ ତାତିକୁ ସହ୍ୟ କରିପାରୁଛି। ‘ହାଂସଲି’ର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହୁଛି। ଏହାପରେ ପ୍ରଥମେ ‘ହାଂସଲି’ କୁକୁଡ଼ା ଓ କଲର ବ୍ରଏଲର ମଧ୍ୟରେ ମିଳନ କରାଯାଇଥିଲା। ସେଥିରୁ ଯେଉଁ କୁକୁଡ଼ା ଜନ୍ମ ନେଲା, ତାହାକୁ ପୁଣିଥରେ ବ୍ରଏଲର ସହ ମିଳନ କରାଯାଇ ସେଥିରୁ ନୂଆ ପ୍ରଜାତି ବିକଶିତ ହୋଇଛି। ଏହି କୁକୁଡ଼ା ‘ବ୍ରଏଲର’ ପରି ଶୀଘ୍ର ବଢ଼ୁଛନ୍ତି। ‘ହାଂସଲି’ ପରି ଦେଶୀ ମାଂସର ସ୍ୱାଦ ମଧ୍ୟ ରହୁଛି। ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଏମାନଙ୍କର ଅଧିକ। ଯେତେବେଳେ କି ‘ବ୍ରଏଲର’ କୁକୁଡ଼ା ୩୭ ଡିଗ୍ରି ତାତିରେ ଝାଉଁଳି ପଡ଼ନ୍ତି।
ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପୂର୍ବରୁ ‘ପଲ୍ଲୀରାଜା’ ପ୍ରଜାତିର କୁକୁଡ଼ା ବିକଶିତ କରାଯାଇଥିଲା। କିନ୍ତୁ ତାହା ରହିପାରିଲା ନାହିଁ। ୬ ବର୍ଷ ପରେ ପୁଣିଥରେ ସଫଳତା ମିଳିଛି। ନୂଆ ପ୍ରଜାତିର କୁକୁଡ଼ା ବାହାରିଛି। ଜଳବାୟୁ ଅନୁଯାୟୀ ଅଧିକ ଗବେଷଣା ଦିଗରେ ପଦକ୍ଷେପ ନିଆଯିବ। ଓୟୁଏଟି ସବୁବେଳେ ଚାଷୀଙ୍କ ପାଇଁ କାମ କରୁଛି।
ଓୟୁଏଟି କୁକୁଡ଼ା ପାଳନ ବିଭାଗ ମୁଖ୍ୟ ଡ. ଏନ୍.ସି. ବେହୁରାଙ୍କ କହିବାନୁଯାୟୀ, ନୂତନ ପ୍ରଜାତି କୁକୁଡ଼ା ‘ବ୍ରଏଲର’ ତୁଳନାରେ ଅଧିକ ତାତି ସହିପାରିବେ। ଫେବ୍ରୁଆରି ମାସରେ ଚିଆଁ ବାହାରିଲା ପରେ କାକଟପୁର ଓ ଜଗତ୍ସିଂହପୁର ଚାଷୀଙ୍କୁ ଦିଆଯାଇଥିଲା। ସେଠାରୁ ଭଲ ରିପୋର୍ଟ ଆସିଛି। ଚାଷୀମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ୨୦୧୯ ଜାନୁଆରି ବେଳକୁ ଅନ୍ୟ ଜିଲ୍ଲାଗୁଡ଼ିକରେ ପରୀକ୍ଷା କରାଯିବ। ବଜାରକୁ ଛାଡ଼ିବା ପୂର୍ବରୁ ସବୁ ଦିନ ପ୍ରତି ଧ୍ୟାନ ଦେବାକୁ ହେବ। ଏଥିପାଇଁ ଆଉ ଦୁଇ ବର୍ଷ ସମୟ ଲାଗିବ। ଏପର୍ଯ୍ୟନ୍ତ ନାମକରଣ ହୋଇନାହିଁ।
ସୂଚନାଯୋଗ୍ୟ ଯେ ୧୬ବର୍ଷର ଗବେଷଣା ପରେ ବରେଲିରୁ ଅଣାଯାଇଥିବା ‘ବ୍ରଏଲର’ କୁକୁଡ଼ାକୁ ବିକଶିତ କରାଯାଇ ‘ପଲ୍ଲୀରାଜା’ ପ୍ରଜାତି ବାହାରିଥିଲା। ହେଲେ ବଜାରକୁ ଆସିବା ପୂର୍ବରୁ ୨୦୧୨ରେ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ବ୍ୟାପିବା ଯୋଗୁଁ ଏଠାରେ ଥିବା ସମସ୍ତ କୁକୁଡ଼ାକୁ ମାରି ପୋତି ଦିଆଯାଇଥିଲା। ଫଳରେ ଦୀର୍ଘବର୍ଷ ଧରି ବୈଜ୍ଞାନିକଙ୍କ ଗବେଷଣାରୁ ବାହାରିଥିବା ‘ପଲ୍ଲୀରାଜା’ ବଂଶ ଓଡ଼ିଶାରୁ ଲୋପ ପାଇଯାଇଥିଲା।