ଭୁବନେଶ୍ୱର : ଚକଡ଼ା ପୋକ ଲାଗୁ ନ ଥିବା ଏକ ପ୍ରକାର ଧାନ କିସମ ଉଦ୍ଭାବନ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏବଂ ଚିକିଟି ଅଞ୍ଚଳର ଚାଷୀମାନେ ଏଥର ‘ହସନ୍ତ’ କିସମର ଧାନ ଚାଷ କରିଥିବା ବେଳେ ସେଥିରେ ଚକଡ଼ା ପୋକ ଲାଗି ନ ଥିବା ଦେଖିବାକୁ ମିଳିଛି। ୧୪୫ ଦିନରେ ଉତ୍ପାଦିତ ହେଉଥିବା ଏହି ଧାନ କିସମ କିଭଳି ଚାଷୀଙ୍କ ପାଖରେ କେମିତି ଠିକ୍ ଭାବେ ପହଞ୍ଚିପାରିବ ତାହା ଉପରେ ବିଶେଷଜ୍ଞମାନେ ଗବେଷଣା କରୁଛନ୍ତି ବୋଲି ଓୟୁଏଟିର କୁଳପତି ତଥା କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଶୁପାଳକ କହିଲେ ଯେ ପୋକ ଲାଗିବା ନେଇ ଅକ୍ଟୋବର ପ୍ରଥମ ସପ୍ତାହରୁ ଚାଷୀ ଏବଂ କୃଷି ବିଭାଗକୁ ସଚେତନ କରାଯାଇଥିଲା। ମାଟିଆଗୁଣ୍ଡି ପୋକ ଦାଉରୁ ରକ୍ଷା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା କୀଟନାଶକ କେତେକ ସ୍ଥାନରେ କାମ ଦେଇନି। କେଉଁ କାରଣ ଲାଗି ତାହା କାମ କଲା ନାହିଁ ତାହା ଉପରେ ଅଧିକ ଗବେଷଣା କରାଯାଉଛି। ଚାଷୀମାନେ ଜମିରେ ଯେଉଁ ଔଷଧ ବ୍ୟବହାର କରିଥିଲେ ତାହା ଠିକ୍ ଥିଲା କି ନାହିଁ ତାହା ଉପରେ ଅନୁଧ୍ୟାନ କରାଯାଉଛି। ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ।
ଜଳବାୟୁ ପରିବର୍ତନ ହିଁ ଚକଡ଼ା ପୋକ ପ୍ରାଦୁର୍ଭାବର ପ୍ରମୁଖ କାରଣ। ଏଥିସହ ଚକଡ଼ା ପୋକର ବିଷ ସହିବା ଶକ୍ତିରେ ବୃଦ୍ଧି, ବାରମ୍ବାର ବିଷ ପ୍ରୟୋଗ ଦ୍ୱାରା ପୋକର ପୁନରୁଦ୍ଧାର, ବର୍ଷା ପାଣିରେ ପ୍ରୟୋଗ ହେଉଥିବା ବିଷ ଧୋଇ ଯାଇ କାମ ନ କରିବା, ଅନିୟମିତ ବର୍ଷା ଏବଂ ବିଳମ୍ବିତ ଶୀତ ମଧ୍ୟ ଏହାର କାରଣ। ଅକ୍ଟୋବର ମାସରେ ରାଜ୍ୟରେ ବର୍ଷା ସହ ତାପମାତ୍ରା ଅଧିକ ରହିବାରୁ ପୋକ ବହୁ ପରିମାଣରେ ଲାଗିଥିଲେ। ଏଥିସହ କୃଷି ଡିପ୍ଲୋମାଧାରୀଙ୍କୁ ଡିଲରସିପ୍ ପ୍ରଦାନ କରିବାକୁ ଶ୍ରୀ ପଶୁପାଳକ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସଠିକ୍ ଉତ୍ପାଦନ ସାମଗ୍ରୀ ଓ ପରାମର୍ଶ କୃଷକଙ୍କୁ ମିଳିପାରିବ ବୋଲି ସେ କହିଛନ୍ତି।
ଚାଷୀଙ୍କ ଲାଗି କଣ୍ଟ୍ରୋଲ ରୁମ୍ ଖୋଲିଲା
ଧାନ ସମେତ ବିଭିନ୍ନ କିସମ ଶସ୍ୟ ସମ୍ପର୍କରେ ଚାଷୀଙ୍କୁ ପରାମର୍ଶ ଦେବା ଲାଗି ଓୟୁଏଟି ସମ୍ପ୍ରସାରଣ ନିର୍ଦେଶାଳୟ ପକ୍ଷରୁ କଣ୍ଟ୍ରୋଲ ରୁମ୍(୦୬୭୪-୨୩୯୭୯୩୩) ଖୋଲାଯାଇଛି। ଚାଷୀମାନେ ଏହି କଣ୍ଟ୍ରୋଲ ରୁମ୍ରୁ ବିଭିନ୍ନ ଶସ୍ୟରେ ଲାଗୁଥିବା ରୋଗ ପୋକ ସମ୍ପର୍କରେ ଆବଶ୍ୟକ ପରାମର୍ଶ ପାଇପାରିବେ। ଚାଷୀମାନେ କିଭଳି ଆଗକୁ ରବି ଫସଲ କରି କ୍ଷୟକ୍ଷତିରେ ଭରଣା କରାଯାଇ ପାରିବ ସେଥିପାଇଁ ଗତ ୭ ତାରିଖରେ କୃଷି ବିଭାଗ ଓ ଓୟୁଏଟିର ମିଳିବ ବୈଠକରେ ଡ୍ରାଫ୍ଟ ପ୍ର୍ରସ୍ତୁତ ହୋଇଛି। ମାଟିଆଗୁଣ୍ଡି ପୋକ ଲାଗିଥିବା ଜମିରୁ ଧାନ କାଟିବା କ୍ଷଣି ସେଥିରେ ବିରି, ମଟର, ମୁଗ, ଟମାଟୋ, ବାଦାମ, ପନିପରିବା ଆଦି ଚାଷ ହୋଇପାରିବ। ତେଣୁ ଚାଷୀମାନେ ଏଥିପ୍ରତି ଗୁରୁତ୍ୱ ଦେବା ସହ ମଞ୍ଜି କିଭଳି ଠିକ୍ ସମୟରେ ମିଳିପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଓୟୁଏଟି ପକ୍ଷରୁ ପରାମର୍ଶ ଦିଆଯାଇଛି।