ଓୟୁଜେ ପକ୍ଷରୁ ରାଜ୍ୟବ୍ୟାପୀ କଳାବ୍ୟାଜ୍‌ ପରିଧାନ ଆହ୍ବାନ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନୀଳଗିରି ପୁଲିସ ଯେଭଳି ଭାବେ ଗିରଫ କରି ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ତାହା ସମସ୍ତ ସାମ୍ବାଦିକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏହି ଘଟଣାକୁ ଓଡ଼ିଶା ସାମ୍ବାଦିକ ୟୁନିୟନ ରାଜ୍ୟ ଶାଖା ସଭାପତି ପ୍ରସନ୍ନ କୁମାର ମହାନ୍ତି ଦୃଢ଼ ନିନ୍ଦା କରିବା ସହ ଜଣେ ସାମ୍ବାଦିକଙ୍କୁ ପେଶାଦାର ଅପରାଧୀ ଭଳି ଡାକ୍ତରଖାନାରେ ବେଡ଼ି ପକାଇ ରଖିବା ଆଦୌ ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି।

ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିବା ବେଳେ ସୁରକ୍ଷା ଯୋଗାଇବା ଦାୟିତ୍ୱରେ ଥିବା ପୁଲିସ ଯଦି ବ୍ୟକ୍ତିଗତ ଆକ୍ରୋଶ ରଖି ଏପରି ଆଚରଣ ଦେଖାଉଛି ତାହେଲେ ଆଉ କାହାକୁ କୁହାଯିବ। ଏହି ଘଟଣାକୁ ନେଇ ଆସନ୍ତା କାଲି ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତସଦସ୍ୟ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ କରିବେ। ରାଜ୍ୟ ସଂଘର ଏହି ନିଷ୍ପତ୍ତି ଅନୁସାରେ ଜିଲ୍ଲାର ସମସ୍ତ ସଦସ୍ୟମାନେ କଳାବ୍ୟାଜ୍‌ ପରିଧାନ କରିବାକୁ ଜିଲ୍ଲା ସଭାପତି ଗଙ୍ଗାଧର ରାଉତ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର