ଲଖନପୁର: ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଅବସରରେ ମଙ୍ଗଳବାର ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ପରିସର ସ୍ଥିତ ଗ୍ରାମପତିଙ୍କ ପୀଠରେ ପୂଜେଇ ପର୍ବ ଅନୁଷ୍ଠିତ ହୋଇଯାଇଛି। ଫଳରେ ଗାଁ ଗାଁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଗାଁ’ ଝାଙ୍କର ତଥା ମା’ ସମଲେଇଙ୍କ ପୂଜକ ଦୁବରାଜ ବରିହା ଓ ନରହରି ନାଏକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। କିନ୍ତୁ ଗାଁର ଚରଲାଭଟା ପଡ଼ାରେ ଏବେ ଦୁଇଟି ପରିବାର ଲୋକେ ବସନ୍ତରେ ଆକ୍ରାନ୍ତ ଥିବାରୁ ଏଥର ପୂଜେଇରେ ବୋଦା ଓ କୁକୁଡ଼ା ବଳି ବନ୍ଦ କରାଯାଇ ପୀଠରେ କେବଳ ଶୀତଳ ପୂଜା କରାଯାଇଥିଲା।
ଟ୍ରଷ୍ଟ ବୋର୍ଡ ମ୍ୟାନେଜିଂ ଟ୍ରଷ୍ଟି ବେଣୁଧର ଭୋଇ, ଟ୍ରଷ୍ଟି ରାଧାକାନ୍ତ ପାଣିଗ୍ରାହୀ, ଭକ୍ତରାମ କାଲୋ, ଜଗନ୍ନାଥ ପଧାନ, ବିଦ୍ୟଧାର ମାଝୀଙ୍କ ସହ ଗାଁର ଯୁବ ଗୋଷ୍ଠୀ ଏହାକୁ ପରିଚାଳନା କରିଥିଲେ। ଗୌନ୍ତିଆ ପ୍ରେମାନନ୍ଦ ପଧାନଙ୍କ ସୂଚନାନୁସାରେ ୧୮୯୨ ମସିହାରେ ତତ୍କାଳୀନ ସମ୍ବଲପୁର ରାଜା ଲଖନପୁର ଗାଁ’ରେ ମା’ ସମଲେଇଙ୍କୁ ସ୍ଥାପନ କରି ତତ୍କାଳୀନ ଗୌନ୍ତିଆଙ୍କୁ ଦେବୀଙ୍କ ପୂଜାର୍ଚ୍ଚନା ଦାୟିତ୍ଵ ଅର୍ପଣ କରିଥିଲେ। ସେଦିନ ଠାରୁ ଗାଁ’ ମୁଣ୍ଡରେ ଥିବା ଦେମୂଳରେ ଗ୍ରାମପତି, ମା’ ଚାମୁଣ୍ଡା, ଶ୍ରୀପାଟ, ବଡ଼ ଦେଓ ପହରିଆ ପାଟ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଉଛି।
ଏଠାରେ ବର୍ଷକୁ ୨ ଥର ପୂଜେଇ ଅନୁଷ୍ଠିତ ହୋଇଥାଏ। ଭଲ ଫସଲ ଅମଳ ଓ ଗାଁ’ର ସମୃଦ୍ଧି କାମନା କରି ଶ୍ରାବଣ ଶୁକ୍ଳପକ୍ଷ ମଙ୍ଗଳବାର କିମ୍ବା ଶନିବାର କାଦୋଯୁବା ପୂଜା କରାଯାଏ। ସେହିପରି ହିଂସ୍ରଜନ୍ତୁଙ୍କ କବଳରୁ ଗାଁ’ ଲୋକଙ୍କୁ ରକ୍ଷା ପାଇଁ ପୌଷ ଶୁକ୍ଳପକ୍ଷ ମଙ୍ଗଳବାର କିମ୍ବା ଶନିବାର ଖଳ ପୂଜା କରାଯାଏ। ଏହି ପୀଠରେ ନୂଆଁଖାଇ ଓ ବିଜୟା ଦଶମୀ ତିଥିରେ ସ୍ୱତନ୍ତ୍ର ପୂଜା କରାଯାଇଥିଏ। ସମୟକ୍ରମେ ଓଡ଼ିଶା ସରକାରଙ୍କ ଦେବୋତ୍ତର ବିଭାଗ ଦ୍ଵାରା ଗଠିତ ମା’ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ୩ ଦଶନ୍ଧିରୁ ଏହି ପୀଠର ସମସ୍ତ କାର୍ଯ୍ୟ ପରିଚାଳନା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/4-1.jpg)