ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ଆତ୍ମହତ୍ୟା କରିବାର ମାତ୍ର ଘଣ୍ଟାକ ଭିତରେ ପତ୍ନୀ ବିଦ୍ୟୁତ୍ ତାରକୁ ଛୁଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଓ କେଉଁ ଭଳି ପରିସ୍ଥିତିରେ ପତ୍ନୀ ଆତ୍ମହତ୍ୟା କଲେ ତାହା ସନ୍ଦେହ ଘେରରେ ରହିଛି। ପ୍ରାୟ ୧୮ ବର୍ଷ ପୂର୍ବେ ବଣିଆ ଟାଙ୍ଗୀର ସମରେନ୍ଦ୍ର ସେନାପତି (୪୩) ଓ ଗଡ଼ଖୋର୍ଦ୍ଧାର ସୁମିତା ବିବାହ କରିଥିଲେ। ଉଭୟ ନିଜର ତିନି ସନ୍ତାନଙ୍କ ସହ ବାଜପୁର ପଞ୍ଚାୟତ ବଣିଆଟାଙ୍ଗୀଠାରେ ରହୁଥିଲେ। ସେମାନଙ୍କର ୧୭ ଓ ୧୨ ବର୍ଷ ବୟସର ଦୁଇଟି ଝିଅ ଓ ୭ ବର୍ଷ ବୟସର ଗୋଟିଏ ପୁଅ ଅଛନ୍ତି।
ସମରେନ୍ଦ୍ରଙ୍କ ବଡ଼ ଭାଇ ଅମରେନ୍ଦ୍ରଙ୍କ କହିବାନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ସମରେନ୍ଦ୍ର ବିଲରୁ ଫେରି ଘର ଭିତରକୁ ଯାଇ ଭିତରପଟରୁ କବାଟ ଦେଇଦେଇଥିଲେ। ସେ କବାଟ ନଖୋଲିବାରୁ ପୁଅ ଆସି ତାଙ୍କୁ ଡାକିଥିଲା। ସମେରନ୍ଦ୍ରଙ୍କ ବନ୍ଧୁ, ସେ ଓ ପାଖପଡ଼ୋଶୀ ମଧ୍ୟ ଆସି କବାଟ ବାଡ଼େଇଥିଲେ। କବାଟ ନଖୋଲିବାରୁ ଶାବଳରେ କବାଟ ତାଡ଼ି ଭିତରେ ପଶିବା ବେଳେ ସମରେନ୍ଦ୍ର ଏକ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଥିଲେ। ତାଙ୍କୁ ଏକ ଅଟୋରେ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବା ବେଳେ ପତ୍ନୀଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଥିଲା।
ପତ୍ନୀ ଘରର ପଙ୍ଖାକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ଧରିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଥିଲା। ତେବେ ସେ ମଧ୍ୟ ପ୍ରକୋଷ୍ଠର ଭିତରପଟୁ କବାଟ ଦେଇଥିବାରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ସଦର ଥାନା ଅଧିକାରୀ କାହ୍ନୁ ଚରଣ ସ୍ବାଇଁ କହିଛନ୍ତି, ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ୧୫ ଓ ୧୬/୨୦୨୩ରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବାଜପୁର ସରପଞ୍ଚ କେଦାରେଶ୍ବର ପୃଷ୍ଟି କହିଛନ୍ତି, ସମରେନ୍ଦ୍ର ତାଙ୍କର ଜଣେ ବନ୍ଧୁ। କିନ୍ତୁ ସେ ଓ ତାଙ୍କ ପତ୍ନୀ କାହିଁକି ଓ କେଉଁ ଭଳି ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ ତାହା ଜଣାନାହିଁ। ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଏବେ ଅନାଥ ହୋଇଯାଇଛନ୍ତି। ସରକାରୀ ସେମାନଙ୍କ ଭରଣପୋଷଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।