ଭୁବନେଶ୍ୱର : ସାରା ରାଜ୍ୟରେ ମିସନ୍ ଶକ୍ତି, ସ୍ବୟଂ ସହାୟିକା ଗୋଷ୍ଠୀ, ତୃତୀୟ ଲିଙ୍ଗ, ଜରି ଗୋଟାଳିମାନେ ୧୦୦% ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁର ଉତ୍ତମ ପରିଚାଳନା, ୧୦୦% ପ୍ରକ୍ରିୟାକରଣ ନିଶ୍ଚିତ କରିବା ପାଇଁ ପୌରସଂସ୍ଥାଗୁଡ଼ିକ ପଦକ୍ଷେପ ନେବାକୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ କହିଛନ୍ତି।

Advertisment

ମଙ୍ଗଳବାର ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ସମସ୍ତ ନୋଡାଲ୍ ଅଫିସର, ସମ୍ପଦ କେନ୍ଦ୍ର ଓ ପରିମଳ ବିଶେଷଜ୍ଞ, ମେଣ୍ଟରମାନଙ୍କୁ ନେଇ ଆୟୋଜିତ ଓରିଏଣ୍ଟେସନ୍ ଏବଂ ପ୍ଲାନିଂ ବୈଠକରେ ଶ୍ରୀ ମାଥିଭାଥନନ୍ କହିଛନ୍ତି ଯେ, ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିକେନ୍ଦ୍ରୀଭୂତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ମଡେଲ୍‌ ଦେଶରେ ସ୍ବତନ୍ତ୍ର। ହେଲେ ପରିମଳ ବ୍ୟବସ୍ଥା ନେଇ ଲୋକଙ୍କ ପାଖରେ ସୂଚନା ‌ନାହିଁ। ତେଣୁ ଆମ ସହର ଅାପ୍‌ରେ ଏଣିକି ପରିମଳ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଅପଲୋଡ୍‌ କରିବା ସହ ଏହି ଆପ୍‌ର ଅଧିକରୁ ଅଧିକ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ପ୍ରତି ଘରୁ ଯେପରି ୧୦୦% ବର୍ଜ୍ୟବସ୍ତୁ ପୃଥକୀକରଣ କରି ସଂଗ୍ରହ କରାଯିବ ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି। ପରିମଳ ବିଶେଷଜ୍ଞମାନେ କେବଳ ଅଫିସ୍‌ରେ ନବସି କ’ଣ କରିବା ଦରକାର ସେନେଇ ଆଲୋଚନା ହୋଇଥିଲା।

ସ୍ବଚ୍ଛ ସର୍ବେକ୍ଷଣରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଥିବାରୁ ଆଗାମୀ ଦିନରେ ଯେପରି ସବୁ ସହରକୁ ଭଲ ରୢାଙ୍କ ମିଳିବ ସେନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ପୌର ପ୍ରଶାସକ ସଂଗ୍ରାମଜିତ୍‌ ନାୟକ, ସ୍ବଚ୍ଛ ଭାରତ ମିସନ୍‌ର ଅତିରିକ୍ତ ମିସନ୍ ନିର୍ଦ୍ଦେଶକ କଲ୍ୟାଣ କୁମାର ରଥ ଏବଂ ସମସ୍ତ ପୌରସଂସ୍ଥାର ନୋଡାଲ ଅଧିକାରୀ, ପରିମଳ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।