ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସଂସଦର ପରାମର୍ଶଦାତା କମିଟିର ଦ୍ୱିତୀୟ ବୈଠକ ଇନ୍ଦୋରରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉପରେ ବିଶଦ ଆଲୋଚନା ହୋଇଛି। ସ୍କୁଲ ଓ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାକୁ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ପିଲାଙ୍କ ଜ୍ଞାନାତ୍ମକ ବିକାଶ ପାଇଁ ଦୃଢ଼ ଭିତ୍ତିଭୂମି ନିର୍ମାଣ, ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହନ ଏବଂ ଦେଶର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବାକୁ କମିଟିର ସଦସ୍ୟମାନେ ପରାମର୍ଶ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଆଗାମୀ ବର୍ଷରେ ଶିକ୍ଷାର ମାଧ୍ୟମ ମୁଖ୍ୟତଃ ଭାରତୀୟ ଓ ସ୍ଥାନୀୟ ଭାଷାରେ ହେବ ବୋଲି କହିଛନ୍ତି।

Advertisment

ଶିକ୍ଷା ମନ୍ତ୍ରଣାଳୟ ସଂସଦର ପରାମର୍ଶଦାତା କମିଟିର ଦ୍ୱିତୀୟ ବୈଠକ

ଇଞ୍ଜିନିୟରିଂ ଭଳି ବୈଷୟିକ ପାଠ୍ୟକ୍ରମ ସ୍ଥାନୀୟ ଭାଷାରେ ପ୍ରଚଳନ ହୋଇଛି। ଭାରତୀୟ ଭାଷାରେ ପୁସ୍ତକ ଯୋଗାଇବା ପ୍ରାଥମିକତା ରହିଛି। ବିଷୟବସ୍ତୁ ଅନୁବାଦରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ଭାଷା ଅନୁବାଦ ପାଇଁ ଏଆଇ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଗ୍ରାମାଞ୍ଚଳ କିମ୍ବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ସେମାନଙ୍କ ପସନ୍ଦର ଭାଷାରେ ବିଷୟବସ୍ତୁ ବୁଝିବାରେ ସାହାଯ୍ୟ କରିପାରିବ। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ଏକ ଦୃଢ଼ ଓ ବିକଶିତ ଅର୍ଥନୀତି ଆବଶ୍ୟକ। ସେହି ଦୃଷ୍ଟିକୋଣକୁ ସାକାର କରିବାରେ ଶିକ୍ଷା ମୁଖ୍ୟ ବାହକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି।     

ଏହି ବୈଠକରେ ଉତ୍ତର-ପୂର୍ବ କ୍ଷେତ୍ରର ଶିକ୍ଷା ଓ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର, ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ସଚିବ ବିନୀତ ଯୋଶୀ, ଏଆଇସିଟିଇ, ୟୁଜିସି ଓ ଭାରତୀୟ ଭାଷା ସମିତିର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ରତଲାମ ଆଲୋଟ୍‌ସ୍ଥିତ ପିଏମ୍‌ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଛାତ୍ରାବାସ ଓ କର୍ମଚାରୀ ଭବନ, ଆଲୋଟ୍‌ଠାରେ ସାନ୍ଦିପନୀ ବିଦ୍ୟାଳୟର ଲୋକାର୍ପଣ କରିଥିଲେ।