‘ଆମ ଜଙ୍ଗଲ’ ଯୋଜନା ବାଟବଣା: ବନ ସୁରକ୍ଷା ସମିତି କର୍ମକର୍ତ୍ତା ଗର୍ଜିଲେ

ଆମପାଣି ବନପାଳଙ୍କ ନାଁରେ ଅର୍ଥ ଆତ୍ମସାତ ଅଭିଯୋଗ

କୋକସରା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ‘ଆମ ଜଙ୍ଗଲ’ ଯୋଜନାରେ ବନପାଳ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ରେଞ୍ଜରଙ୍କଠାରୁ ଡିଏଫ୍‌ଓଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦର୍ଶାଇ ଏହାର ପ୍ରତିବାଦରେ ସୋମବାର ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ଶ୍ରମିକମାନେ ବନ ବିଭାଗ ଅଫିସ ଆଗରେ ଧାରଣା ଦେଇଥିଲେ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଆମ ଜଙ୍ଗଲ ଯୋଜନାରେ କାମ କରି ଶ୍ରମିକ ପାଉଣା ପାଇ ନଥିବା ବେଳେ ବନପାଳ ଜଗନ୍ନାଥ ନାଗ ଶ୍ରମିକମାନଙ୍କ ଲକ୍ଷାଧିକ ଟଙ୍କା ଭିଏସ୍‌ଏସ୍‌ କମିଟିର ସଭାପତିଙ୍କ ଦସ୍ତଖତ ଜାଲିଆତି କରି ଆତ୍ମସାତ କରିଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏନେଇ ବିଭିନ୍ନ ସମୟରେ ୬ଟି ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ଶ୍ରମିକ ସାଙ୍ଘାତିକ ଅଭିଯୋଗ କରି ଆସୁଛନ୍ତି। ବନ ସୁରକ୍ଷା ସମିତି ପକ୍ଷରୁ ଆମପାଣି ସେକ୍ସନ ବନପାଳଙ୍କ ବିଭିନ୍ନ ଦୁର୍ନୀତି ବିରୋଧରେ ସ୍ଥାନୀୟ ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଫିସ୍‌ଠାରୁ ଆରମ୍ଭ କରି କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିକାରୀ ସମେତ ଆଞ୍ଚଳିକ ବନ ସଂରକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବନପାଳଙ୍କ ବିରୋଧର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ତେଣୁ ସୋମବାର ଜଙ୍ଗଲ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ଶ୍ରମିକ ଫରେଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପ୍ରାପ୍ୟ ଦାବିରେ ଫରେଷ୍ଟ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କୁଅର ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମଙ୍ଗଳବାର ଏକ ବିଭାଗୀୟ ଟିମ ଆସି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ଯେଉଁ ଶ୍ରମିକଙ୍କ ପ୍ରାପ୍ୟ ମିଳିନାହିଁ ତାହା ମଧ୍ୟ ତଦନ୍ତ ପରେ ଦିଆଯିବ ବୋଲି କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସଂପୃକ୍ତ ବନପାଳ ପୂର୍ବରୁ ରଏନଗୁଡା ବିଟ୍‌ରେ ଫରେଷ୍ଟ ଗାର୍ଡ ଭାବେ ନିୟୋଜିତ ହୋଇଥିଲେ। ଫରେଷ୍ଟର ଭାବେ ପଦୋନ୍ନତି ପାଇ ପୁଣି ଏହି ଅଞ୍ଚଳକୁ ଆସି ଅନେକ ମିଥ୍ୟା ବିଲ୍ ଭାଉଚର କରି ବନୀକରଣ ପାଇଁ ଉଦ୍ଦିଷ୍ଟ କୋଟି କୋଟି ଟଙ୍କାକୁ ଲୁଟ କରୁଥିବା ତଥା‌ ଶ୍ରମିକଙ୍କୁ ପାଉଣା ଦେଉନଥିବା ବେଳେ ଆଦୌ କାମ କରି ନଥିବା ବିଭିନ୍ନ ଲୋକଙ୍କୁ ଶ୍ରମିକ ଦର୍ଶାଇ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରି ସରକାରୀ ଅର୍ଥ ହଡ଼ପ୍‌ କରୁଥିବା ଭଳି ସଂଗିନ ଅଭିଯୋଗ ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି ବନ ସୁରକ୍ଷା କମିଟିର ସଦସ୍ୟ ମାନେ କହିଛନ୍ତି।

ଏହି ଧାରଣାରେ କନ୍ଦାଗଡ଼ ଭିଏସ୍‌ଏସ୍ କମିଟିର ସଭାପତି ଦୈତାରୀ ଦଳପତି, ରଏନଗୁଡା ସଭାପତି ରଘୁନାଥ ନାଏକ, ତଲାଗାଁ ସଭାପତି ଭଜମନ ନାଏକ, ନୂଆଗାଁ ସଭାପତି ଚକ୍ରଧର ବାଗ, ଜିତେନ୍ଦ୍ର ପଣ୍ଡା, ଚନ୍ଦ୍ରମଣି ନାଏକ, ଲିଙ୍ଗରାଜ ନାଏକ, କେଶରୀ ପୂଝାରୀ, ଯୁବନେତା ସନ୍ତୋଷ ମାଝୀ, ପିପଲଝାପର ଭିଏସ୍‌ଏସ୍ ସଭାପତି ସୁବାସ ଖସେର୍ଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ ସମେତ ଶତାଧିକ ଶ୍ରମିକ ସାମିଲ ଥିଲେ।

ସମ୍ବନ୍ଧିତ ଖବର