୨୦୨୪ ପୁଣି ଆମ ସରକାର: ନବୀନ

ଭୁବନେଶ୍ବର : ବିକାଶ ଧାରାରେ ବିଜେଡି ସରକାର ସବୁବେଳେ ରହିଆସିଛି। ଏଥିସହ ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଆମେ ନିରନ୍ତର କାର୍ଯ୍ୟରତ। ଆମେ ସବୁବେଳେ ଲୋକଙ୍କ ସହ ଅଛୁ, ଏଣୁ ୨୦୨୪ ପୁଣି ଜନତାଙ୍କ ଆଶୀର୍ବାଦ ଆମ ଉପରେ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଶାସନ ଗାଦିକୁ ଅକ୍ତିଆର୍‌ କରିପାରିବେ କି? ଆଜି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଓଡ଼ିଆ ସାହିତ୍ୟ ଉତ୍ସବ ‘ଅ’ର ଉଦ୍‌ଯାପନୀ ସମାରୋହରେ ସଂସ୍ଥାର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲାଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏଥିସହ ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୦୦ ମସିହାରେ ଯେତେବେଳେ ସେ ସରକାରକୁ ଆସିଥିଲେ ସେତେବେଳେ ରାଜ୍ୟର ମୋଟ୍‌ ବଜେଟ୍‌ ରହିଥିଲା ୫ ହଜାର କୋଟି ଟଙ୍କା। କିନ୍ତୁ ୨୨ ବର୍ଷ ଭିତରେ ଏହା ବଢ଼ି ୨ ଲକ୍ଷ କୋଟିରେ ପହଞ୍ଚିଲାଣି। ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶର ଧାରା ଜାରି ରଖିଥିବା ବେଳେ ଆମେ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ଓ ମହିଳା ସଶକ୍ତୀକରଣ ଦିଗରେ ଅଗ୍ରଗତି କରିଚାଲିଛୁ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ନିମନ୍ତେ ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବା ବେଳେ ଆମେ ଏହା ସହ ଲଢ଼ିବାକୁ ଭିନ୍ନ ମଡେଲ ତିଆରି କରିବା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବାରୋପ କରିଛୁ। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବିକାଶ ଓ ଉନ୍ନତି ବିଜେଡିର ଏକ ମାତ୍ର ଲକ୍ଷ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅନ୍ୟପଟେ ଆଜିର ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପିର ବିଜୟକୁ ନେଇ ଆଦୌ ବିଚଳିତ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ବିଜୁ ଜନତା ଦଳ ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି। ଏଇ କିଛି ଦିନ ତଳେ ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା। ଏଣୁ ତାଙ୍କ ପୁଅ ଏହି ନିର୍ବାଚନ ଜିତିବା ଆମେ ଆଶା କରିଥିଲୁ। ନିକଟରେ ରାଜ୍ୟର ୩୦ରୁ ୩୦ଟି ଯାକ ଜିଲ୍ଲା ପରିଷଦ ଆସନ ଆମେ ଜିତିଥିଲୁ। ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ ବି ଓଡ଼ିଶାବାସୀ ଆମ ସହ ରହିବେ ବୋଲି ଆଶା କରୁଛୁ।

୨୦୨୪ରେ ବିଜେପି ସହ ବିଜେଡିର ଲଢ଼େଇ ହେବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷ ହେଲା ଓଡ଼ିଶାରେ ବିଜେପି ଦ୍ବିତୀୟ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି। ଏଥିସହ ରାଜନୈତିକ ଦୌଡ଼ରେ ଏବେ ବି କଂଗ୍ରେସ ରହିଛି। କଂଗ୍ରେସର ସ୍ଥିତିକୁ ଅଣଦେଖା କରାଯାଇନପାରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର