ବରଗଡ଼: ପ୍ରଧାନମନ୍ତ୍ରୀ ହେଉଛନ୍ତି ଚାଷୀଙ୍କ ବନ୍ଧୁ। ଚାଷୀମାନଙ୍କର ସବୁ ସହାୟତା ଡିବିଟି ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ପହଞ୍ଚିଛି। ପିଏମ୍‌ କିଷାନ ସମ୍ମାନନିଧି ଯୋଜନା କୃଷକଙ୍କ ବିକାଶ ପାଇଁ ରାସ୍ତା ଖୋଲିଛି। ଆଜି ଏହି ଯୋଜନାରେ ୧୭ତମ କିସ୍ତିରେ ଓଡ଼ିଶାର ୩୧ ଲକ୍ଷ ୬୨ ହଜାର ଚାଷୀ ସମୁଦାୟ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଲେ। ପ୍ରତ୍ୟେକ ଚାଷୀ ୨ ହଜାର ଟଙ୍କା ଲେଖାଏଁ ପାଇଲେ। ଆମ ସରକାର ଜନତାଙ୍କ ସରକାର। ଯେତେବେଳେ ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ। ଆଜି ବରଗଡ଼ ଜିଲ୍ଲାକୁ ପ୍ରଥମକରି ଗସ୍ତରେ ଆସି ଆୟୋଜିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଉତ୍ସବରେ ଯୋଗଦେବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଗତ ୨୪ ବର୍ଷ ଭିତରେ ପୂର୍ବ ସରକାର ଚାଷୀଙ୍କୁ ନ୍ୟାୟ ଦେଇପାରିନି। ପୂର୍ବତନ ମୁଖ୍ୟମନ୍ତ୍ରୀ ୧୫ ବର୍ଷ ପୂର୍ବରୁ ବରଗଡ଼ ଆସି ୧୦୦ ଟଙ୍କା ବୋନସ୍‌ ଘୋଷଣା କରିଥିଲେ। ତାହା ଚାଷୀମାନେ ପାଇଛନ୍ତି ‌କି ବୋଲି ପ୍ରଶ୍ନ କରିବାସହ ପୂର୍ବ ସରକାର ପରବର୍ତ୍ତୀ ସମୟରେ କଟ୍‌ନି ଛଟ୍‌ନିରେ ଚାଷୀଙ୍କଠାରୁ ଓଲଟା ନେଇଗଲେ। କିନ୍ତୁ, ଆମ ସରକାର ଆସିବା ପରେ ପ୍ରଥମଦିନରେ ହିଁ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଆଗାମୀ ଶହେଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ, ଆଗାମୀ ବଜେଟ୍‌ରେ ସାଧାରଣ ଲୋକଙ୍କ ମତାମତ ନିଆଯିବ। ଖୁବ୍‌ଶୀଘ୍ର ୱେବ୍‌ସାଇଟ୍‌ ଖୋଲାଯାଇ ଜନତାଙ୍କ ମତ ଅନୁସାରେ ବଜେଟ୍‌ ପ୍ରସ୍ତୁତ ହେବ ବୋଲି ସେ କହିଥିଲେ।

ବରଗଡ଼ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଉତ୍ସବ
ଓଡ଼ିଶାରେ ୩୧.୬୨ ଲକ୍ଷ ଚାଷୀ ~୬୩୨.୪୮ କୋଟି ପାଇଲେ
ଅବଶିଷ୍ଟ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ

ଅନ୍ୟପକ୍ଷରେ, ବରଗଡ଼ ଜିଲ୍ଲାରେ ୧୨ଟି ବ୍ଲକ୍‌ର ୧ ଲକ୍ଷ ୭୭ ହଜାର ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ୧ ଲକ୍ଷ ୨୯ ହଜାର ଚାଷୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। ବାଦ୍‌ ପଡ଼ିଥିବା ପ୍ରାୟ ସାଢ଼େ ୪୦ ହଜାର ଚାଷୀଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ରାଜ୍ୟରେ କୃଷି ଓ କୃଷକର ବିକାଶ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।  କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ, ନିର୍ବାଚନ ଇସ୍ତାହାରରେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ ହେବ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଆମ ସରକାର ଲୋକଙ୍କ ପାଇଁ କାମ କରିବ ବୋଲି କହିଥିଲେ। ଉତ୍ସବରେ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡ଼ତିଆ, ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ନୂତନ ସରକାର ଓ ଡବଲ୍ ଇଂଜିନ ସରକାର ଓଡ଼ିଶାକୁ ଏକ ବିକାଶିତ ରାଜ୍ୟ କରିବ ବୋଲି ଉଦ୍‌ବୋଧନ କହିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ଆର୍‌ଡିସି, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ କିଛି ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଆଜି ବରଗଡ଼ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଗାନ୍ଧୀ ଛକରୁ ବାନ୍ଧୁଟିକ୍ରା ଛକ ଯାଏଁ ରୋଡ୍‌ ସୋ' କରି ସଭାସ୍ଥଳକୁ ପହଞ୍ଚିଥିଲେ। ଗାନ୍ଧୀ ଛକଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରେ ସର୍କିଟ୍‌ ହାଉସ୍‌ ଯାଇ ସହରର ବିଭିନ୍ନ ସଂଗଠନର ନେତୃବୃନ୍ଦ, ବୁଦ୍ଧିଜୀବୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।