ହରିହର ନାୟକ
ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ଜିଲ୍ଲାର ୧୮ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି। ଏଠାକୁ ପ୍ରତିଦିନ ୧୫୦୦ରୁ ଅଧିକ ରୋଗୀ ଆସନ୍ତି। ଗତ ୨ ମାସ ହେବ ଡାକ୍ତରଖାନାର ନବକଳେବର ହୋଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତିକୁ ସରକାର ଭୁଲିଯାଇଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୭୧ଟି ମଞ୍ଜୁରିପ୍ରାପ୍ତ ଡାକ୍ତର ପଦ ରହିଥିବା ବେଳେ ଅଛନ୍ତି ମାତ୍ର ୩୮ ଜଣ। ଏମିତିକି ସିଡିଏମ୍‌ଓ ପଦ ବି ୨ ମାସ ହେବ ଖାଲିପଡ଼ିଛି।

Advertisment

ପ୍ରାୟ ୧୪୭ କୋଟି ଟଙ୍କା ବ୍ୟୟରେ ଗେଲପୁରଠାରେ ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ମହିଳା ଓ ଶିଶୁ ଡାକ୍ତରଖାନା ଖୋଲାଯାଇଛି। ନୂତନ ଡାକ୍ତରଖାନାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳିବ ବୋଲି ଜିଲ୍ଲାବାସୀ ଆଶା କରିଥିଲେ। ହେଲେ, ସେମିତି କିଛି ହେଲାନି। ଓଲଟା ଏଠାରେ ଆବଶ୍ୟକ ଡାକ୍ତର ତଥା କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ମଧ୍ୟ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପଦକୁ ମଞ୍ଜୁରି ମିଳିଥିଲେ ବି ଏଯାଏଁ କାହାରିକୁ ନିଯୁକ୍ତ କରାଯାଇନି।

୧୭୧ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୩୮
ଅନ୍ୟାନ୍ୟ ପଦ ବି ଖାଲିପଡ଼ିଛି
ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ବି ନାହିଁ

ଚର୍ମରୋଗ ବିଶେଷଜ୍ଞ ୩ ବର୍ଷ ହେବ ନାହାନ୍ତି। ଡାକ୍ତର ପଦ ସହ ଫାର୍ମାସିଷ୍ଟ, ନର୍ସ, ଲାବୋରେଟୋରି ଟେକ୍ନିସିଆନ୍‌ ଓ ଅନ୍ୟ କିଛି ପଦବି ମଧ୍ୟ ଖାଲି ଅଛି। ଡାକ୍ତରଖାନା ପରିସରରେ ରକ୍ତଭଣ୍ଡାର, ଇକୋ ମେସିନ୍‌, ଏମ୍‌ଆର୍‌ଆଇ ମେସିନ୍‌ ଓ ଥାଇରଏଡ୍‌ ଟେଷ୍ଟ ମେସିନ୍‌, ଆଇସିୟୁ ଓ ଭେଣ୍ଟିଲେଟର୍‌ ବ୍ୟବସ୍ଥା ନାହିଁ। ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସେବା ମିଳୁ ନ ଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଜଣେ ହୃଦ୍‌ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ସହ ସ୍ବତନ୍ତ୍ର କ୍ୟାନ୍‌ସର୍‌ ୱାର୍ଡ, କେମୋଥେରାପି ୱାର୍ଡ ଓ ଡାଏଲିସିସ୍‌ ୱାର୍ଡ ଖୋଲିବା ପାଇଁ ଦାବି ହୋଇଛି। ତୁରନ୍ତ ସମସ୍ୟାର ସମା‌ଧାନ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି।