ସୁବ୍ରତ ସ୍ବାଇଁ
କେନ୍ଦୁଝର: ଅଧାରେ ଚାଲିଛି କେନ୍ଦୁଝର ସ୍ବାସ୍ଥ୍ୟସେବା। ଅର୍ଥାତ୍ ଅନୁମୋଦିତ ପଦ ମଧ୍ୟରୁ ଅଧା ଖାଲି। ନର୍ସଙ୍କ କ୍ଷେତ୍ରରେ ମଧ୍ୟ ସ୍ଥିତି ସମାନ। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ମୋଟ ୬୭୨ଟି ଡାକ୍ତର ପଦ ମଞ୍ଜୁର କରାଯାଇଛି।  ଏଥିରୁ ଏବେ ୩୧୮ ପଦରେ ଡାକ୍ତର ଅଛନ୍ତି। ଅବଶିଷ୍ଟ ୩୫୪ ପଦବି ଖାଲି ପଡ଼ିଛି।

Advertisment

କେନ୍ଦୁଝର ଜିଲ୍ଲାରେ, ସ୍ବାସ୍ଥ୍ୟସେବା

୬୭୨ଟି ଡାକ୍ତର ପଦରୁ ୩୫୪ ଫାଙ୍କା

ଖାଲିପଡ଼ିଛି ୩୫୫ ନର୍ସିଂ ଅଫିସର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇଏସଓ-୯୦୦୧ ସାର୍ଟିଫିକେଟ୍‌ ପାଇଛି। ୧୭୦ଜଣଙ୍କ ସ୍ଥାନରେ ଅଛନ୍ତି ୫୫ ଡାକ୍ତର। ହୃଦ୍‌ରୋଗ ବିଶେଷଜ୍ଞ ପଦବି ଫାଙ୍କା। ୨ଟି ବ୍ଲଡ୍‌ ବ୍ୟାଙ୍କ ଅଫିସର ପଦରେ କେହି ନାହାନ୍ତି। ୩ଜଣ ଶିଶୁରୋଗ ବିଶେଷଜ୍ଞଙ୍କ ସ୍ଥାନରେ ଜଣେ କାର୍ଯ୍ୟ କରୁଛନ୍ତି। ଅଲଟ୍ରାସାଉଣ୍ଡ ହୋଇପାରୁନି, କାରଣ ରେଡିଓ ଡାଇଗ୍ନୋଷ୍ଟିକ ପଦ ଖାଲି। ମେଡିସିନ୍‌ ବିଭାଗର ଡାକ୍ତର ବିନୋଦ ବିହାର ମିଶ୍ର ସିଡିଏମ୍‌ଓ ଭାବେ ନିଯୁକ୍ତି ପାଇବା ପରେ ସେ ପଦ ଫାଙ୍କା। ୪ଟି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପଦ ମଧ୍ୟରୁ ୨ଜଣ ଅଛନ୍ତି। ଫଳରେ ଚିକିତ୍ସା କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। 

କେବଳ ଯେ ଡାକ୍ତର ପଦ ଅର୍ଦ୍ଧାଧିକ ଖାଲି ରହିଛି ତାହା ନୁହେଁ, ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀ ସ୍ଥିତି ତଦ୍ରୁପ। ଜିଲ୍ଲାରେ ୫୮୭ ଅନୁମୋଦିତ ନର୍ସିଂ ଅଫିସର ପଦରୁ ୨୩୨ଜଣ ବିଭିନ୍ନ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି। ୧୩୬ଟି ଫାର୍ମାସିଷ୍ଟ ପଦ ମଧ୍ୟରୁ ୩୮ଟି ପଦ ଖାଲି ପଡ଼ିଛି। ୨୪୫ଟି ଅନୁମୋଦିତ ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦ ମଧ୍ୟରୁ ୧୫ଟି ପଦ ଖାଲି ରହିଛି। ୨୮୫ଟି ଅନୁମୋଦିତ କମ୍ୟୁନିଟି ହେଲ୍‌ଥ ଅଫିସର (ସିଏଚ୍‌ଓ) ରହିବା କଥା। ୨୫ଟି ଖାଲି ପଡ଼ିଛି। ୪ଟି ସିନିୟର ଏଲ୍‌ଟି ପଦରେ କେହି ନାହାନ୍ତି।   ୮୦ଟି ଅନୁମୋଦିତ ଜୁନିୟର ଏଲ୍‌ଟି ପଦବି ମଧ୍ୟରୁ ୪୦ ଜଣ କାର୍ଯ୍ୟରତ ଅଛନ୍ତି। ୨୫ଟି ଅନୁମୋଦିତ ଜୁନିୟର ରେଡିଓଗ୍ରାଫର ପଦବି ମଧ୍ୟରୁ ୧୯ ଜଣ କାର୍ଯ୍ୟରତ ଅଛନ୍ତି।  ୩ଟି ଅନୁମୋଦିତ ସିନିୟର ରେଡିଓଗ୍ରାଫର ପଦବି ମଧ୍ୟରୁ ୨ ଜଣ କାର୍ଯ୍ୟରତ। ସେହିପରି ୪୪ଟି ଡ୍ରାଇଭର ପଦ ମଧ୍ୟରୁ ୨୬ ଜଣ କାର୍ଯ୍ୟରତ ଅଛନ୍ତି। ୬୧ ମହିଳା ସ୍ୱାସ୍ଥ୍ୟକର୍ମୀ ନାହାନ୍ତି। ମୋଟାମୋଟି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ୩୩୪୨ଟି ଅନୁମୋଦିତ ପଦବି ମଧ୍ୟରୁ ଏବେ ୧୨୦୮ ପଦ ଫାଙ୍କା ପଡ଼ିଛି।