ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ନେଉଥିବା ବ୍ରହ୍ମପୁର ଏମ୍‌କେସିଜି ବଡ଼ଡାକ୍ତରଖାନା ନିରନ୍ତର ଅବହେଳିତ। ବିଭିନ୍ନ ସମୟରେ ଏଠାରୁ ଅଭିଜ୍ଞ ବିଶେଷଜ୍ଞଙ୍କୁ ଅନ୍ୟ ମେଡିକାଲକୁ ବଦଳି କରି ନିଆଯାଉଛି, ଖାଲିପଦ ପୂରଣ ହେଉନି। ଫଳସ୍ବରୂପ ଏଠାରେ ଡାକ୍ତର ଅଭାବ ସମସ୍ୟା ଲାଗିରହିଛି। ବିଭିନ୍ନ ବିଭାଗରେ ବର୍ତ୍ତମାନ ୧୪୮ ଡାକ୍ତର ପଦବି ଖାଲି ପଡ଼ିଛି। ଏଥିଯୋଗୁଁ ରୋଗୀସେବାରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ସ୍ବାସ୍ଥ୍ୟସେବା ଏକପ୍ରକାର ଆଣ୍ଠେଇପଡ଼ିଛି। ଏମ୍‌କେସିଜି ବଡ଼ ମେଡିକାଲର ୯ଟି ଗୁରୁତ୍ବପୂର୍ଣ୍ଣ ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରଫେସର ନାହାନ୍ତି। ସେହିପରି ୩୧ଟି ଆସୋସିଏଟ୍‌ ପ୍ରଫେସର ପଦ ଖାଲିପଡ଼ିଛି। ଏଭଳି ସ୍ଥିତିରେ ରୋଗୀ ଚିକିତ୍ସା ପାଇବେ କେମିତି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। 

Advertisment

ମୁରବିଶୂନ୍ୟ ୯ ବିଭାଗ, ନାହାନ୍ତି ୧୪୮ ଡାକ୍ତର

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ବିଭିନ୍ନ ସ୍ଥାନରୁ ରୋଗୀ ରେଫର୍‌ ହୋଇ ଆସିଥାନ୍ତି। କିନ୍ତୁ ଏଠାରେ ଆବଶ୍ୟକ ବିଶେଷଜ୍ଞ ଅଭାବ ଯୋଗୁଁ ଗୁରୁତର ରୋଗୀଙ୍କୁ ପୁଣିଥରେ କଟକ ରେଫର୍‌ କରି ଦିଆଯାଇଥାଏ। ଏମ୍‌କେସିଜି ମେଡିକାଲରେ ମୋଟ ୩୬ ବିଭାଗ ରହିଥିବା ବେଳେ ୪୫୪ ଡାକ୍ତର ପଦବି ମଂଜୁର ହୋଇଛି। ତନ୍ମଧ୍ୟରୁ ୩୦୬ ଡାକ୍ତର ଥିବା ବେଳେ ୧୪୮ ଡାକ୍ତରପଦ ଖାଲି ପଡ଼ିଛି। ସେହିପରି ଫିଜିଓଲୋଜି, କମ୍ୟୁନିଟି ମେଡିସିନ୍‌, ଏମର୍ଜେନ୍ସି ମେଡିସିନ୍‌, ପିଏମ୍‌ଆର୍‌, ଡେଣ୍ଟାଲ୍‌ ସର୍ଜରି, ପ୍ଲାଷ୍ଟିକ୍‌ ସର୍ଜରି, ନେଫ୍ରୋଲୋଜି, ସିଟିଭିଏସ୍‌ ଓ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି (ମେଡିକାଲ) ବିଭାଗରେ ପ୍ରଫେସର ନାହାନ୍ତି। ଏହାଛଡ଼ା ୮୧ଟି ଆସୋସିଏଟ୍‌ ପ୍ରଫେସର ପଦବି ମଧ୍ୟରୁ ୫୦ଜଣ ଥିବା ବେଳେ ୩୧ଟି ପଦବି ଖାଲି ପଡ଼ିଛି। ଏମ୍‌କେସିଜି ପାଇଁ ୧୬୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବି ମଧ୍ୟରୁ ୧୪୮ଜଣ ଥିବା ବେଳେ ୧୬ଟି ଖାଲି ରହିଛି। ଠିକ୍‌ ସେହିପରି ୧୦୭ ସିନିୟର୍‌ ରେସିଡେଣ୍ଟ୍‌ ପଦବି ମଧ୍ୟରୁ ୭୯ଟି ପଦବି ଖାଲି ରହିଥିବା ବେଳେ ମାତ୍ର ୨୮ଜଣ ଅଛନ୍ତି। ମଂଜୁର ହୋଇଥିବା ୪୦ ଟ୍ୟୁଟର୍‌ ପଦବିରୁ ୩୩ଜଣ ଥିବା ବେଳେ ୭ଟି ଖାଲି ପଡ଼ିଛି।  ଏମ୍‌କେସିଜି ମେଡିକାଲରେ ବହୁବର୍ଷ ହେଲା ଡାକ୍ତର ଅଭାବ ସମସ୍ୟା ଲାଗି ରହିଛି। କିଛି ବର୍ଷ ତଳେ ରାଜ୍ୟ ସରକାର କୋରାପୁଟ, ପୁରୀବଲାଙ୍ଗୀର ଭଳି ଜିଲ୍ଲାରେ ଖୋଲିଥିବା ନୂତନ ମେଡିକାଲ କଲେଜକୁ ଏମ୍‌କେସିଜିର ଅଭିଜ୍ଞ ବିଶେଷଜ୍ଞଙ୍କୁ ନେଇଥିଲେ। କିନ୍ତୁ ସେହି ସ୍ଥାନରେ ଆବଶ୍ୟକ ବିଶେଷଜ୍ଞ ନିଯୁକ୍ତ କରୁନଥିବାରୁ ଡାକ୍ତର ଅଭାବ ସମସ୍ୟା ସୃ‌ଷ୍ଟି ହୋଇଛି। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।