ଭୁବନେଶ୍ବର: ‘ଆମ ଓଡ଼ିଶା’ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ  ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ନିଶା ନିବାରଣ ବ୍ରତ ପାଳିତ ହୋଇଯାଇଛି। ରାଜ୍ୟର ୩୭୨ଟି କେନ୍ଦ୍ରରେ ୨୦ ହଜାରରୁ ଅଧିକ ପୁରୁଷ, ମହିଳା ‘ଆମ ଓଡ଼ିଶା’ ପରିବାରଭୁକ୍ତ ହୋଇଛନ୍ତି। ଭଉଣୀମାନେ ଭାଇମାନଙ୍କ ହାତରେ ରାଖୀ ବାନ୍ଧି ନିଶା ବର୍ଜନପାଇଁ  ଶପଥ କରାଇଥିଲେ। ଉଲ୍ଲେଖଯୋଗ୍ୟ, ଗତମାସରେ ‘ଆମ ଓଡ଼ିଶା’ର ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଅନୁଷ୍ଠାନର ପଞ୍ଚସୂତ୍ରୀ  କାର୍ଯ୍ୟକ୍ରମ ଭାଷାଜ୍ଞାନ, ରକ୍ତଦାନ, ସାହିତ୍ୟଘର, ନବଜୀବନ ଓ ପରିବେଶ ପଞ୍ଚାୟତକୁ ନେଇ ୨୦୨୫ ମସିହାରୁ ନବ‌କଳେବର କରିବା ପାଇଁ ଆହ୍ବାନ ଦେଇଥିଲେ। ଯାହାର ପ୍ରତିଫଳନ ସ୍ବରୂପ ପ୍ରଥମ କାର୍ଯ୍ୟକ୍ରମରେ ଆଜି ନିଶା ନିବାରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇଛି।

Advertisment

ଦ୍ବିତୀୟ ବର୍ଷରେ ବେଶ ଉତ୍ସାହ ସହିତ ସମଗ୍ର ଓଡ଼ିଶାର ୩୧୪ ବ୍ଲକ୍ ଓ ସମସ୍ତ ପୌରାଞ୍ଚଳରେ  ନିଶା ନିବାରଣ ବ୍ରତ ପାଳିତ ହୋଇଛି। ଆଜି ସକାଳୁ  ‘ଆମ ଓଡ଼ିଶା’ର ରକ୍ଷାବନ୍ଧନ ଉତ୍ସବସ୍ଥଳରେ ଉଉଣୀମାନେ ଭାଇମାନଙ୍କ ହାତରେ ‘ଆମ ଓଡ଼ିଶା’ର ରାଖୀ ବାନ୍ଧିବା ସହିତ ଶୁଭକାମନା ଜଣାଇଥିଲେ। ପରସ୍ପରକୁ ଚକଲେଟ୍ ପ୍ରଦାନ କରି ସମ୍ପର୍କ ‌ଡୋରି ଯୋଡ଼ିଥିଲେ।  ଉପସ୍ଥିତ ସଦସ୍ୟମାନେ ନିଶା ନ ଛୁଇଁବା ପାଇଁ ଶପଥ ନେଇଥିଲେ। ଆମ ସମୟର ସବୁଠୁ ବଡ଼ ଓଡ଼ିଆ ପରିବାର ‘ଆମ ଓଡ଼ିଶା’ ପକ୍ଷରୁ  ରାଜ୍ୟ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ହୋଇଥିବା ବେଳେ ବାଲେଶ୍ବର ସଂସ୍କରଣ ଅଧୀନରେ ୫୨ଟି, ଭୁବନେଶ୍ବରରେ ୪୪ଟି,  ଜୟପୁରରେ ୪୬ଟି,  ଯାଜପୁରରେ ୩୦ଟି, ଅନୁଗୁଳରେ ୧୬ଟି,  ସମ୍ବଲପୁରରେ ୭୪ଟି, ରାଉରକେଲାରେ ୨୬ଟି,  କଟକରେ ୩୯ଟି ଓ ବ୍ରହ୍ମପୁରରେ ୪୫ଟି କେନ୍ଦ୍ରରେ ହଜାର ହଜାର ରକ୍ତଦାତା, ରକ୍ତଦାନ ଶିବିର ଆୟୋଜକ, ସାହିତ୍ୟଘର ସଦସ୍ୟ, ‘ସମ୍ବାଦ’ର ପ୍ରତିନିଧି ଓ ‘ଆମ ଓଡ଼ିଶା’ର ଶୁଭେଚ୍ଛୁ ବନ୍ଧୁମାନେ ସାମିଲ ହୋଇ 
ଉତ୍ସବ ପାଳନ କରିଥିଲେ।

‘ଆମ ସମୟର ସବୁଠାରୁ ବଡ଼ ଓଡ଼ିଆ ପରିବାର ଗଠନ ହେଉ’

ଭୁବନେଶ୍ୱର: କୌଣସି ସଂଗଠନ କାଗଜ କଲମରେ ନୁହେଁ, କାର୍ଯ୍ୟକ୍ରମରେ ବଞ୍ଚେ। ତେଣୁ ରକ୍ତଦାନ, ନିଶା ନିବାରଣ, ଭାଷାଜ୍ଞାନ ପରି ଏକାଧିକ କାର୍ଯ୍ୟକ୍ରମ ‘ଆମ ଓଡ଼ିଶା’କୁ ଏତେ ବର୍ଷ ଧରି ବଞ୍ଚାଇ ରଖିବା ସହିତ ଘରେ ଘରେ ପରିଚିତ କରାଇଛି। ‘ଆମ ଓଡ଼ିଶା’ ପକ୍ଷରୁ ଏହାର କାର୍ଯ୍ୟାଳୟରେ ଅନୁଷ୍ଠିତ ‘ରାଖୀପୂର୍ଣ୍ଣିମାରେ ନିଶା ନିବାରଣ ବ୍ରତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ଏଥିସହିତ ସେ ‘ଆମ ଓଡ଼ିଶା’ ସଦସ୍ୟତା ଅଭିଯାନରେ ସାମିଲ ହୋଇ ଆମ ସମୟର ସବୁଠାରୁ ବଡ଼ ଓଡ଼ିଆ ପରିବାର ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ। 

‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଯୋଗ ଦେଇ କହିଥିଲେ, ‘ଆମ ଓଡ଼ିଶା’ର ନବକଳେବର ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଯେପରି ଛୋଟ ଘଟଣା ବଡ଼ ଆନ୍ଦୋଳନର ରୂପ ନେଇପାରେ, ସେହିପରି ଏହି କାର୍ଯ୍ୟକ୍ରମ ଏକ ବିରାଟ ପରିବାର ଗଠନରେ ସହାୟକ ହେବ। ‘ସମ୍ୱାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଯୋଗ ଦେଇ ସମସ୍ତେ ସମ୍ମିଳିତ ହେଲେ ଏକ ବଡ଼ ପରିବାର ଗଠନରେ ଆମେ ସଫଳ ହେବା ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ସମ୍ପଦ ମହାପାତ୍ର ଯୋଗ ଦେଇ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ସାପ୍ତାହିକ ପତ୍ରିକା ସଦସ୍ୟମାନେ କିଭଳି ଅନ୍‌ଲାଇନ୍‌ରେ ବିନା ଦେୟରେ ପଢ଼ି ପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାପ୍ତାହିକ ପତ୍ରିକା ପରିଚାଳନାର ସଦସ୍ୟ ତଥା ବରିଷ୍ଠ ସାମ୍ୱାଦିକ ସନ୍ଦୀପ ସାହୁ ଓ ଗଣେଶ ପ୍ରସାଦ ନାୟକ ଯୋଗ ଦେଇଥିଲେ। ‘ଆମ ଓଡ଼ିଶା’, ‘ସମ୍ବାଦ ସାହିତ୍ୟଘର’, ‘ରକ୍ତଦାନ ଅଭିଯାନ’ ସଦସ୍ୟମାନେ ଯୋଗ ଦେଇ ନିଶା ନିବାରଣ ବ୍ରତ ପାଳନ କରିବାକୁ ସଂକଳ୍ପ ନେଇଥିଲେ।