ସର୍ବ ଭାରତୀୟ କୃଷକ ଆନ୍ଦୋଳନରେ ସାମିଲ ହେଲା ଆମ ଅଧିକାର

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂଆ କୃଷିନୀତି ବାତିଲ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ପ୍ରତିବାଦ ଆନ୍ଦୋଳନରେ ସାମିଲ ହୋଇଛି ଆମ ଅଧିକାର ସଂଗଠନ। ସଂଗଠନର କର୍ମକର୍ତ୍ତାମାନେ ସିଙ୍ଗୁ ସୀମାରେ ପହଞ୍ଚି ପ୍ରତିବାଦ ଜାରି ରଖିଛନ୍ତି। ଓଡ଼ିଆରେ ଲେଖାଥିବା ପ୍ଲାକାର୍ଡ ଏବଂ ବ୍ୟାନର ଧରି କର୍ମକର୍ତ୍ତାମାନେ ବିକ୍ଷୋଭସ୍ଥଳ ପରିକ୍ରମା କରି ବିପୁଳ ସମର୍ଥନ ମଧ୍ୟ ପାଇଛନ୍ତି। ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ପ୍ରତିବାଦ ସଭାର କୃଷକ ମହାମଞ୍ଚରେ ଉଦ୍‌ବୋଧନ ଦେଇ ସଂଗଠନ ରାଜ୍ୟ ଆବାହକ ଅମିୟ ପାଣ୍ଡବ ଓଡ଼ିଶାର ଚାଷୀକୂଳ ପକ୍ଷରୁ ଏହି ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିବା ସହ ଏହି କଳା ଆଇନ୍ ରଦ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଥିଲେ। ସଂଗଠନର ମହାସଚିବ ଗଣେଶ ଦାଶ ଓ କ୍ରିଷ୍ଣା ଶତପଥୀ ବିଭିନ୍ନ ରାଜ୍ୟରୁ ଆସିଥିବା କୃଷକ ସଂଗଠନର କର୍ମକର୍ତ୍ତାମାନଙ୍କୁ ଭେଟି ଆଲୋଚନା କରିବା ସହ ସମ୍ମିଳିତ ସଂଗ୍ରାମ ପାଇଁ ସମ୍ମତି ଓ ସମର୍ଥନ ଜଣାଇଥିଲେ। ସଂଗଠନର ସମ୍ପାଦକ ପାର୍ଥସାରଥୀ ଜେନା ଓ ବିଶ୍ୱଭୂଷଣ ମହାପାତ୍ର ସଭାସ୍ଥଳରେ ଏହି ଚାଷୀ ବିରୋଧୀ କଳା ଆଇନ୍ ବିରୋଧରେ ନିଜର ମୁଣ୍ଡନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

ସମ୍ବନ୍ଧିତ ଖବର