ବିଶୋଇ: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ଆଦିବାସୀ ନେତା ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ। ଆଜି ସେ ଶପଥ ଗ୍ରହଣ କରିବା ବେଳେ ତାଙ୍କ ପୈତୃକ ଗ୍ରାମ କେନ୍ଦୁଝର ସଦର ବ୍ଲକ୍‌ ରାଇକଳା ଗ୍ରାମବାସୀ ଯେମିତି ଖୁସି ହୋଇଥିଲେ, ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍‌ କାଦୁଆଣି ଗ୍ରାମର ଲୋକେ ମଧ୍ୟ ସମ ପରିମାଣରେ ଉତ୍ସାହିତ ଥିଲେ। କାରଣ ଗାଁ ଜ୍ବାଇଁଙ୍କ ହାତକୁ ଯାଇଛି ରାଜ୍ୟର ଶାସନ ଡୋର। ‘ଆମ ଜ୍ବାଇଁ ବାବୁଙ୍କ ପାଇଁ ଆମେ ଗର୍ବିତ’ ବୋଲି କହିଛନ୍ତି ଶ୍ବଶୁର ଘର ଲୋକ ଓ ଗ୍ରାମବାସୀ।

Advertisment

ଏହି ଗ୍ରାମର ଦିବଂଗତ ଶିକ୍ଷକ ଦୟାନିଧି ମାରାଣ୍ଡି ଓ ରାଇମଣି ମାରାଣ୍ଡିଙ୍କ ଦ୍ୱିତୀୟ କନ୍ୟା ଡାକ୍ତର ପ୍ରିୟଙ୍କା ମାରାଣ୍ଡିଙ୍କୁ ୨୦୦୪ ମସିହାରେ ବିବାହ କରିଥିଲେ ଶ୍ରୀ ମାଝୀ। ପ୍ରିୟଙ୍କା ରାଇରଙ୍ଗପୁର କନ୍ୟା ସେବାଶ୍ରମରେ ମାଟ୍ରିକ୍‌ ଓ ଏନ୍‌ଟିପିସି କଣିହାଁ (ଅନୁଗୁଳ)ରେ ଯୁକ୍ତ ୨ ବିଜ୍ଞାନ ପଢ଼ିବା ପରେ ୧୯୯୯ରେ ପୁରୀ ଜିଲ୍ଲା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିଲେ। ସେଠାରେ ପାଠ ପଢ଼ୁଥିବା ସମୟରେ କେନ୍ଦୁଝରରୁ ପ୍ରଥମଥର ବିଧାୟକ ଜିତିଥିବା ଶ୍ରୀ ମାଝୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହର କିଛିଦିନ ପରେ କେନ୍ଦୁଝର ଆସନରୁ ପୁଣିଥରେ ନିର୍ବାଚିତ ହୋଇଥିଲେ ଶ୍ରୀ ମାଝୀ। ପରବର୍ତ୍ତୀ ସମୟରେ ପତ୍ନୀ ପ୍ରିୟଙ୍କା ଡାକ୍ତର ଚାକିରି ଛାଡ଼ି ତାଙ୍କ ଘ‌ରୋଇ ବ୍ୟବସାୟ ଦେଖାଶୁଣା କରିଥିଲେ। ପ୍ରିୟଙ୍କାଙ୍କର ଜଣେ ବଡ଼ଭଉଣୀ ଜୟନ୍ତୀ, ୨ ସାନଭାଇ ଆନନ୍ଦଚନ୍ଦ୍ର ଓ ବ୍ରଜମୋହନ ଅଛନ୍ତି। ଆନନ୍ଦ ଗାଁରେ ଚାଷବାସ କରୁଥିବା ବେଳ ବ୍ରଜମୋହନ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି।

ବ୍ରଜମୋହନଙ୍କ କହିବା ଅନୁଯାୟୀ; ଭିଣୋଇ ଚଳିତ ନିର୍ବାଚନରେ ମୟୂରଭଞ୍ଜର ପ୍ରଭାରୀ ଦାୟିତ୍ବରେ ଥିବାରୁ ପ୍ରଚାରରୁ ସମୟ ପାଇଲେ ଏଠାକୁ ଆସୁଥିଲେ। ଗତ ୨୯ ତାରିଖରେ ସେ ଶେଷଥର ପାଇଁ ଆସିଥିଲେ। ଏଥିସହ କୌଣସି ପର୍ବପର୍ବାଣୀ, ଉତ୍ସବ କିମ୍ବା ଗ୍ରାମରେ ପାରମ୍ପରିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସେ ଭଉଣୀ ଓ ୨ ଭଣଜାଙ୍କୁ ଧରି କାଦୁଆଣି ଗ୍ରାମକୁ ବୁଲିବାକୁ ଆସନ୍ତି। ଶ୍ବଶୁର ଘରକୁ ଆସିଲେ ଗ୍ରାମର ସମସ୍ତ ଲୋକଙ୍କ ସହିତ ସାଧାରଣ ବ୍ୟକ୍ତି ଭାବରେ ମିଳାମିଶା କରନ୍ତି ବୋଲି କହିଛନ୍ତି ବ୍ରଜମୋହନ।