୧୬୨ ପଞ୍ଚାୟତ ପାଇଁ ୧୩୭୬ ପ୍ରକଳ୍ପ ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ବ୍ଲକ୍‌ର ୧୬୨ଟି ପଞ୍ଚାୟତ ପାଇଁ ୧୩୭୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଓ ସୁନ୍ଦରଗଡ଼ ସଦର ବ୍ଲକ୍‌, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍‌, ରାୟଗଡ଼ା ଜିଲ୍ଲାର ରାୟଗଡ଼ା ବ୍ଲକ୍‌, ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକ୍‌, ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକ୍‌ ଓ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ୍‌। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୩୧.୩୭ କୋଟି ଟଙ୍କା। ବଡ଼ଗାଁ ବ୍ଲକ୍‌ର ୧୫ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୦୦ଟି ପ୍ରକଳ୍ପ, ସୁନ୍ଦରଗଡ଼ ସଦର ବ୍ଲକ୍‌ର ୧୫ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୩୦ଟି ପ୍ରକଳ୍ପ, ତିର୍ତ୍ତୋଲ ବ୍ଲକ୍‌ର ୨୯ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୩୦୨ଟି ପ୍ରକଳ୍ପ, ରାୟଗଡ଼ା ବ୍ଲକ୍‌ର ୨୮ଟି ପଞ୍ଚାୟତ ପାଇଁ ୫.୮୭ କୋଟି ଟଙ୍କାରେ ୧୬୧ଟି ପ୍ରକଳ୍ପ, ଜମନକିରା ବ୍ଲକ୍‌ର ୨୦ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୨୬୭ଟି ପ୍ରକଳ୍ପ, ଅନୁଗୁଳ ବ୍ଲକ୍‌ର ୩୩ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୨୩୪ଟି ପ୍ରକଳ୍ପ ଓ କୋକସରା ବ୍ଲକ୍‌ର ୨୨ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୧୮୨ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର