ଆଠଗଡ଼: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପ୍ରଶାସନ ସହଯୋଗରେ ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବା ‘ଆମ ସଂକଳ୍ପ ବିକଶିତ ଭାରତ’ ଗାଡ଼ିକୁ ଆଜି ଆଠଗଡ଼ ଥାନା ଅନ୍ତର୍ଗତ ସଠିଲୋରେ ଦୁଇଜଣ ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି। ଦୁଇ ଦୁର୍ବୃତ୍ତ ଗାଡ଼ିର ଏଲ୍ଇଡି ଭଙ୍ଗାରୁଜା କରିବା ସହିତ ବ୍ୟାନର୍ ଚିରି ଦେଇଥିବା ବେଳେ ଡ୍ରାଇଭର୍ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଗତ ୩ ତାରିଖ ଆଠଗଡ଼ ବ୍ଲକ୍ରେ ପହଞ୍ଚିଥିବା ଏହି ଗାଡ଼ି ୪ ତାରିଖ ଖୁଣ୍ଟକଟା ଯାଇଥିଲା। ସେଠାରୁ ଆଜି ଦିନ ପ୍ରାୟ ୧୦ଟାରେ ସଠିଲୋ ପଞ୍ଚାୟତରେ ଗାଡ଼ି ପହଞ୍ଚିଥିଲା।
ଏହି ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ। ଗାଡ଼ି ପହଞ୍ଚିବାର ଅଳ୍ପ ସମୟ ପରେ ବାଇକ୍ରେ ଜଣେ ଯୁବକ ଓ ଚାଲିଚାଲି ଜଣେ ଯୁବକ ସେଠାରେ ପହଞ୍ଚି ଗାଡ଼ିର ଡ୍ରାଇଭର୍ ଓ କୋଅର୍ଡିନେଟର୍ଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ପରେ ସେହି ଦୁଇ ଯୁବକ ଡ୍ରାଇଭର୍ଙ୍କୁ ମାଡ ମାରିବା ସହ ଏଲ୍ଇଡି ଭଙ୍ଗାରୁଜା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର୍କୁ ମଧ୍ୟ ସେମାନେ ଚିରି ଦେଇଥିଲେ। ଏ ସମ୍ପର୍କରେ ଗାଡ଼ିର ଡ୍ରାଇଭର୍ ନୟାଗଡ଼ ଅଞ୍ଚଳର ଚକ୍ରଧର ମୁଦୁଲି ଓ କୋଅର୍ଡିନେଟର୍ ଭାପୁର ଅଞ୍ଚଳର ଅଭୟ ଦେହୁରୀ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବିଡିଓ ଶ୍ରୀ ସାହୁ ଉକ୍ତ ଅଭିଯୋଗ ଆଠଗଡ଼ ଥାନାକୁ ପଠାଇ ଦେଇଛନ୍ତି। ଏ ନେଇ ଆଠଗଡ଼ ଥାନା ଆଇଆଇସିଙ୍କୁ ପଚାରିବାରୁ ଏକ ମାମଲା ରୁଜୁ କରାଯାଇ ଅଭିଯୋଗର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି।