ପଞ୍ଚଲିଙ୍ଗେଶ୍ୱରରେ ପର୍ଯ୍ୟଟକ ନିଖୋଜ

ନୀଳଗିରି : ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ଆଜି ଜଣେ ପର୍ଯ୍ୟଟକ ନିଖୋଜ ହୋଇ ଯାଇଛନ୍ତି। ସଂଧ୍ୟାସୁଦ୍ଧା ତାଙ୍କର ପତ୍ତା ମିଳିନି। ନିଖୋଜ ପର୍ଯ୍ୟଟକ ହେଲେ ସନାତନ ସାହୁ (୭୫)। ସେ ଜଟଣୀ ଅନ୍ତର୍ଗତ ଉପରବସ୍ତା ଗ୍ରାମର ବାସିନ୍ଦା। ଅନ୍ୟମାନଙ୍କ ସହ ସନାତନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରୁ ଏକ ବସ୍‌ରେ ଆଜି ସକାଳେ ଆସିଥିଲେ। ଏହି ଦଳ ପ୍ରଥମେ ନୀଳଗିରି ଜଗନ୍ନାଥ ମନ୍ଦିର ଦର୍ଶନ ସାରିବା ପରେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଯାଇଥିଲେ। ଶୈବ ପୀଠ ନିକଟ ଷ୍ଟାଣ୍ଡରେ ବସ୍‌ରୁ ଓହ୍ଲାଇ ଶୈବପୀଠକୁ ଯାଇଥିଲେ।

ଦର୍ଶନ ସାରି ବସ୍‌ ନିକଟକୁ ସମସ୍ତେ ଫେରିଥିଲେ। ସନାତନ ନିଜ ଜୋତା ଆଣିବାକୁ ଯାଇ ଆଉ ଫେରି ନଥିଲେ। ତାଙ୍କ ସହ ଆସିଥିବା ପରିବାର ଓ ବନ୍ଧୁବାନ୍ଧବ ପାହାଡ଼ ଉପର ମୁଣ୍ଡରୁ ତଳ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଖୋଜି ନିରାଶ ହୋଇଛନ୍ତି। ଘଟଣା ସଂପର୍କରେ ଜଣାଇବାକୁ ସେମାନେ ପୁଲିସ ସହାୟତା କେନ୍ଦ୍ରକୁ ଯାଇଥିଲେ। ମାତ୍ର ସେଠାରେ ତାଲା ଝୁଲୁଥିଲା। ବାଧ୍ୟହୋଇ ସମସ୍ତ ପର୍ଯ୍ୟଟକ ସନାତନଙ୍କୁ ନପାଇ ଫେରିଯିବା ବେଳେ ଅବ୍ୟବସ୍ଥା ସଂପର୍କରେ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର