ପୁରୀ: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଛି। ବଣଭୋଜି ପାଇଁ ଭିଡ଼ ଜମୁଛି। ସ୍ଥାନୀୟ ଲୋକଙ୍କଠାରୁ ନେଇ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ରାମଚଣ୍ଡୀରେ ବଣଭୋଜି ସହ ବୋଟିଂ ପାଇଁ ବିପୁଳ ଭିଡ଼ ହେଉଛି। କିନ୍ତୁ ବୋଟିଂ ପାଇଁ ଥିବା ଜେଟି ଅଧା ଭାଙ୍ଗି ଲଟକି ରହିଛି। ପର୍ଯ୍ୟଟକ ବିପଜ୍ଜନକ ଭାବେ ଏହା ଉପରେ ସେଲ୍‌ଫି ନେଉଛନ୍ତି ଓ ଡଙ୍ଗାକୁ ଯାଉଛନ୍ତି। ଏ ସମସ୍ୟା ଆଜି କାଲିର ନୁହେଁ, ଫନି ବାତ୍ୟା ପରଠୁ ଜେଟି ଅଧା ଭାଙ୍ଗି ଝୁଲି ରହିଛି। ଅଥଚ ଏଯାଏ ପର୍ଯ୍ୟଟନ ଅଧିକାରୀଙ୍କ ନଜର ପଡ଼ୁନାହିଁ। ଗୋଟିଏ ନୁହେଁ ୪ଟି କଂକ୍ରିଟ୍‌ ଜେଟି ଅଛି, କିନ୍ତୁ ସବୁଗୁଡ଼ିକ ଭାଙ୍ଗିରୁଜି ସେଥିରୁ ରଡ ବାହାରି ପଡ଼ିଛି।

Advertisment

ପୁରୀ କୋଣାର୍କ ବେଳାମାର୍ଗରେ ମା’ ରାମଚଣ୍ଡୀ ମନ୍ଦିର ନିକଟରେ ସର୍ବାଧିକ ବଣଭୋଜି ଆୟୋଜିତ ହୁଏ। ମା’ ରାମଚଣ୍ଡୀଙ୍କୁ ଦର୍ଶନ କରିବା ସହ ବଣଭୋଜି କରି ଲୋକେ ବୋଟିଂ କରିବାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ଜଳ କ୍ରୀଡ଼ା ତଥା ୱାଟର୍‌ ସ୍ପୋର୍ଟସ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ମାତ୍ର ରାମଚଣ୍ଡୀରେ ଜଳକ୍ରୀଡ଼ା କ୍ଷେତ୍ରକୁ ଅବହେଳା କରାଯାଉଛି। ଗତ ୨୦୨୧ ମସିହା ଡିସେମ୍ବର ୨୫ ତାରିଖରେ ରାମଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟୀକରଣ ପାଇଁ ୧୬.୯୮ କୋଟିର ବ୍ୟୟବରାଦ ହୋଇ କାମ ଚାଲିଛି। ମାତ୍ର ପର୍ଯ୍ୟଟକ ଭଙ୍ଗା ଜେଟି ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଇନାହିଁ।

ମା’ ରାମଚଣ୍ଡୀ ବୋଟିଂ ସଂଘର ପ୍ରକାଶ ବେହେରା କହିଛନ୍ତି, ପୂର୍ବରୁ ଏକ ଭାସମାନ ଜେଟିର ବ୍ୟବସ୍ଥା କରାଯାଇଥିଲା। ପର୍ଯ୍ୟଟକମାନେ ଏହି ଜେଟି ଜରିଆରେ ବୋଟ ନିକଟକୁ ଆସୁଥିଲେ। ମାତ୍ର ତାହା ଧୀରେଧୀରେ ଭାଙ୍ଗିଯିବା ପରେ ଭାସିଗଲା। ଏହା ପରଠୁ ସେଠାରେ ଆଉ ଭାସମାନ ଜେଟିର ବ୍ୟବସ୍ଥା କରାଯାଇ ନାହିଁ। ପରବର୍ତ୍ତୀ ସମୟରେ କଂକ୍ରିଟ୍‌ ଜେଟି ନିର୍ମିତ ହୋଇଛି। ମା’ ରାମଚଣ୍ଡୀଙ୍କ ମନ୍ଦିର ପଛ ପାର୍ଶ୍ବରେ ଥିବା କଂକ୍ରିଟ୍‌ ଜେଟିର ପିଲାର୍‌ ଭାଙ୍ଗିଯିବା ପରେ କଂକ୍ରିଟ୍‌ ଜେଟି ତଳକୁ ପେଟେଇ ରହିଛି। ତେବେ ଏହି ଭଙ୍ଗା ଜେଟି ଭିନ୍ନ ଆଉ କୌଣସି ବିକଳ୍ପ ନଥିବାରୁ ପର୍ଯ୍ୟଟକମାନେ ଏହା ଉପରେ ବୋଟ୍‌କୁ ଯାଉଛନ୍ତି। ତେଣୁ ଭାସମାନ ଜେଟିର ବ୍ୟବସ୍ଥା କରାଯାଉ, ନଚେତ ଏହି କଂକ୍ରିଟ୍‌ ଜେଟି ତୁରନ୍ତ ମରାମତି କରାଯାଉ ବୋଲି ସେ କହିଛନ୍ତି।

ବୋଟ ମାଲିକ ରତ୍ନାକର ମୁରୁଡ଼ିଙ୍କ କହିବା ଅନୁଯାୟୀ, ମା’ ରାମଚଣ୍ଡୀ ମନ୍ଦିର ପଛ ପାର୍ଶ୍ବରେ କୁଶଭଦ୍ରା ନଦୀରେ ପ୍ରାୟ ୯୦ରୁ ଅଧିକ ସ୍ପିଡ୍‌ ବୋଟ, ୱାଟର୍‌ ସ୍କୁଟର, ସାଧାରଣ ବୋଟ ରହିଛି। ଏହା ଜରିଆରେ ପ୍ରାୟ ୨ଶହ ପରିବାରର ପ୍ରତିପୋଷଣ ହେଉଛନ୍ତି। କିନ୍ତୁ ଭାଙ୍ଗି ଯାଇଥିବା ଜେଟି ଉପରେ କିଛି ପର୍ଯ୍ୟଟକ ସେଲ୍‌ଫି ମଧ୍ୟ ଉଠାଉଛନ୍ତି। ବାରଣ କରୁଛୁ, ହେଲେ ବିକଳ୍ପ ନଥିବାରୁ କିଛି କହିପାରୁନାହୁଁ। ଏବେ ଜୁଆର ନଥିବାରୁ କିଛି ପର୍ଯ୍ୟଟକ ଭଙ୍ଗା ଜେଟିରେ ନଯାଇ ପାହାଚରେ ତଳକୁ ଓହ୍ଲାଇ ବୋଟ ପର୍ଯ୍ୟନ୍ତ ଆସୁଛନ୍ତି। କିନ୍ତୁ ଜୁଆର ଆସିଲେ ପାଣି ଲାଗିଯିବା ପରେ ଏହି କଂକ୍ରିଟ୍‌ ଜେଟି ହିଁ ଏକମାତ୍ର ବିକଳ୍ପ ପାଲଟିବ। ପର୍ଯ୍ୟଟକଙ୍କ ଆଗମନ ବଢ଼ୁଥିବାରୁ ଏହାର ମରାମତି ତୁରନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ କହିଛନ୍ତି, ଏବେ ମା' ରାମଚଣ୍ଡୀ ମନ୍ଦିର ପରିପାର୍ଶ୍ବ ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ଚାଲିଛି। ଜେଟି ସମ୍ବନ୍ଧରେ ସେ ଅବଗତ ନଥିବାରୁ ଏ ସମ୍ପର୍କରେ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀଙ୍କୁ ଅବଗତ କରି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି।