ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ୨.୦ ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଆଉ ୧୫ ଜଣ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀଙ୍କୁ ବିଦା କରିଛନ୍ତି। ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥ‌ିରେ ପ୍ରିନ୍ସପାଲ କମିସନର, କମିସନର, ଅତିରିକ୍ତ କମିସନର, ସହକାରୀ କମିସନର ଏବଂ ଡେପୁଟି କମିସନର ରୢାଙ୍କ୍‌ର ଅଧିକାରୀ ଅଛନ୍ତି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୧୫ ବରିଷ୍ଠ ଟିକସ ଅଧିକାରୀଙ୍କ ବିରୋଧରେ ଲାଞ୍ଚ, ଦୁର୍ନୀତି ଏବଂ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରହିଛି ।

Advertisment

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପ୍ରଶାସନିକ ସଂସ୍କାରର ରୁଲ୍‌ ୫୬ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଏହି ଆଇନ ଆଧାରରେ ଏ ପର୍ଯ୍ୟନ୍ତ ୨୭ ଜଣ ଆଇଆରଏସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଗତ ସପ୍ତାହରେ ଆୟକର ବିଭାଗର ୧୨ ଜଣ ଅଧିକାରୀଙ୍କୁ ବଳପୂର୍ବକ ଅବସର ଦିଆଯାଇଥିଲା। ଆଜି ଯେଉଁ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେମାନେ ହେଲେ ପ୍ରଧାନ କମିସନର ଡ. ଅନୁପ ଶ୍ରୀବାସ୍ତବ, କମିସନର ଅତୁଲ ଦୀକ୍ଷିତ, ସଂସାର ଚାନ୍ଦ, ଜି. ଶ୍ରୀହର୍ଷ, ବିନୟ ବ୍ରିଜ ସିଂହ, ଅତିରିକ୍ତ କମିସନର ଅଶୋକ ମହିଦା, ବିରେନ୍ଦ୍ର କୁମାର ଅଗ୍ରୱାଲ, ଡେପୁଟି କମିସନର ଅମରେଶ ଜୈନ, ନଳିନ୍‌ କୁମାର, ସହକାରୀ କମିସନର ଏସ ଏସ୍‌ ପାବନା, ଏସ୍‌ ଏସ୍‌ ବିଷ୍ଟ, ବିନୋଦ କୁମାର ସାଙ୍ଗା, ଅତିରିକ୍ତ କମିସନର ରାଜୁ ଶେଖର, ଡେପୁଟି କମିସନର ଅଶୋକ କୁମାର ଅସ୍‌ୱାଲ ଏବଂ ସହକାରୀ କମିସନର ମହମ୍ମଦ ଅଲ୍‌ତାଫ୍‌।