କରମଣ୍ଡଳର ୨୯ ଯାତ୍ରୀଙ୍କ ମଧ୍ୟରୁ ୬ ବ୍ରହ୍ମପୁର ଫେରିଛନ୍ତି

ତିନିଦିନ ହେଲା ସମ୍ପର୍କୀୟଙ୍କ ପତ୍ତା ମିଳୁନି: ସୁନୀଲ

ବ୍ରହ୍ମପୁର: ବାହାନଗା ନିକଟରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଟ୍ରେନ୍‌ରେ ହାୱଡ଼ାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୨୯ଜଣ ଯାତ୍ରୀ ସଂରକ୍ଷିତ ଟିକଟ କରିଥିଲେ। ଏହି ଯାତ୍ରୀ ଉଭୟ ସ୍ଲିପର୍‌ ଏବଂ ଏସି ବଗିରେ ରହିଥିଲେ। ସେହିପରି ସାଧାରଣ ବଗିରେ ମଧ୍ୟ କିଛି ଯାତ୍ରୀ ଥିବା ନେଇ କୁହାଯାଉଥିଲା। କିନ୍ତୁ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଖୋଲା ଯାଇଥିବା ହେଲ୍ପ ଡେସ୍କ୍‌ରେ ବର୍ତ୍ତମାନ ସୁଦ୍ଧା ସେହି ଯାତ୍ରୀଙ୍କ ସମ୍ପର୍କରେ କୌଣସି ବ୍ୟକ୍ତି ପଚାରିବାକୁ ଆସି ନାହାନ୍ତି। ଅନ୍ୟପଟେ ଗତକାଲି ବ୍ରହ୍ମପୁରର ଦୁଇଟି ପରିବାରର ୬ଜଣ ସଦସ୍ୟ ନିଜ ବ୍ୟବସ୍ଥାରେ ଘରକୁ ସୁରକ୍ଷିତ ଫେରିଛନ୍ତି। କିନ୍ତୁ ଅନ୍ୟ ଯାତ୍ରୀଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ସୂଚନା ମିଳି ନାହିଁ।

ଚେନ୍ନାଇ-ଭଦ୍ରକ ସ୍ବତନ୍ତ୍ର ଟ୍ରେନ୍‌ରେ ୫ଶହ ଲୋକଙ୍କୁ ଖାଦ୍ୟ ଦିଆଗଲା

ଚେନ୍ନାଇରୁ ଆସିଥିବା ସ୍ପେସାଲ୍‌ ଟ୍ରେନ୍‌ରେ ସମସ୍ତେ ନିଜର ସମ୍ପର୍କୀୟଙ୍କ ସନ୍ଧାନରେ ଆସିଥିଲେ। ସେମାନଙ୍କ ମଧ୍ୟରେ ଜଣେ ଥିଲେ ବିହାର ମଧୁବନ ଅଞ୍ଚଳର ସୁନୀଲ କାମତ। ସେ ଚେନ୍ନାଇରେ କାମ କରୁଛନ୍ତି। ତାଙ୍କର ଜଣେ ସମ୍ପର୍କୀୟ କୌଣସି କାମରେ ପଶ୍ଚିମବଙ୍ଗ ଯାଇଥିଲେ। ସେ ଗତ ୨ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍‌ରେ ଚେନ୍ନାଇ ଅଭିମୁଖେ ବାହାରିଥିଲେ ବୋଲି ସୁନୀଲ କହିଛନ୍ତି। କିନ୍ତୁ ଟ୍ରେନ୍‌ ଦୁର୍ଘଟଣା ପରେ ତାଙ୍କର କୌଣସି ଖୋଜଖବର ନାହିଁ। ୩ଦିନ ହେଲା ତାଙ୍କର ସମ୍ପର୍କୀୟଙ୍କ ପତ୍ତା ମିଳୁ ନାହିଁ। ଏଣୁ ସେ ଓଡ଼ିଶା ରାଜ୍ୟ ସରକାର ଓ ପ୍ରଶାସନକୁ ତାଙ୍କର ସମ୍ପର୍କୀୟଙ୍କୁ ଖୋଜି ବାହାର କରିବାକୁ ଅନୁରୋଧ କରିଛନ୍ତି। ଘଟଣା ଦିନ ସୁନୀଲ ତାଙ୍କ ସମ୍ପର୍କୀୟଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ଅଜ୍ୟ ଜଣେ ବ୍ୟକ୍ତି ଫୋନ୍‌ ଉଠାଇଥିଲେ। ତାଙ୍କ ଠାରୁ ସମ୍ପର୍କୀୟଙ୍କ ସମ୍ପର୍କରେ ସୁନୀଲ କୌଣସି ସଠିକ୍‌ ସୂଚନା ପାଇପାରି ନଥିଲେ ବୋଲି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।
ବାହାନଗା ଟ୍ରେନ୍‌ ଦୁର୍ଘଟଣା ଯୋଗୁଁ ଆଜି ଦ୍ବିତୀୟ ଦିନ ପାଇଁ ଟ୍ରେନ୍‌ ଚାଳାଚଳ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁରରୁ ହାୱଡ଼ା ରୁଟ୍‌ରେ ସମସ୍ତ ଟ୍ରେନ୍‌ ଆଜି ମଧ୍ୟ ବାତିଲ କରାଯାଇଛି। ଫଳରେ ଆଜି ବ୍ରହ୍ମପୁର ରେଳ ଷ୍ଟେସନ୍‌ ଖାଁ ଖାଁ ରହିଥିଲା। ବ୍ରହ୍ମପୁର ଷ୍ଟେସନ୍‌ ଦେଇ ଡାଉନ୍‌ ଟ୍ରାକ୍‌ରେ ଯେତିକି ଟ୍ରେନ୍‌ ଯାଉଥିଲା ସେଥିରେ ଭୁବନେଶ୍ବର ଓ କଟକ ପର୍ଯ୍ୟନ୍ତ ଟିକଟ ଦିଆଯାଉଥିଲା। ସେପଟେ ବାତିଲ ହୋଇଥିବା ଟ୍ରେନ୍‌ର ସଂରକ୍ଷିତ ଟି‌କଟ ଫେରସ୍ତ କରିବା ପାଇଁ କିଛି ଲୋକ ଷ୍ଟେସନ୍‌କୁ ଆସିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଚେନ୍ନାଇରୁ ଭଦ୍ରକ ଅଭିମୁଖେ ବାହାରିଥିବା ସ୍ବତନ୍ତ୍ର ଟ୍ରେନ୍‌ର ଯାତ୍ରୀମାନଙ୍କୁ ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଖାଦ୍ୟ ଓ ପାନୀୟ ଜଳ ପ୍ରଦାନ କରାଯାଇଥିଲା। ଟ୍ରେନ୍‌ରେ ଯାତ୍ରା କରୁଥିବା ପ୍ରାୟ ୫ଶହ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି।

କମରଣ୍ଡଳ ଏକ୍ସପ୍ରେସ୍‌ରେ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁର ଯାତ୍ରୀ ରହିଥିଲେ। ଦୁର୍ଘଟଣା ପରେ ବହୁ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନେ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ନେବା ପାଇଁ ତାଙ୍କର ସମ୍ପର୍କୀୟ ଚେନ୍ନାଇରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଗତକାଲି ବାହାରିଥିଲେ। ଏହି ଟ୍ରେନ୍‌ ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ଷ୍ଟେସନ୍‌ରେ ପହଞ୍ଚିଥିଲା। ସେହି ଟ୍ରେନ୍‌ରେ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳର ଲୋକ ରହିଥିଲେ। ଯେଉଁମାନେ କି ତାଙ୍କର ସମ୍ପର୍କୀୟଙ୍କ ସନ୍ଧାନରେ ବାହାରିଥିଲେ। ବହୁ ‌ଲୋକଙ୍କ ମନରେ ‌ସେହି ଗୋଟିଏ ପ୍ରଶ୍ନ ତାଙ୍କର ପରିବାରବର୍ଗ ଓ ପ୍ରିୟଜନ କେମିତି ଅଛନ୍ତି, ବଞ୍ଚିଛନ୍ତି କି ନାହିଁ? ବ୍ରହ୍ମପୁର ଷ୍ଟେସନ୍‌ରେ ଏହି ଟ୍ରେନ୍‌ କିଛି ସମୟ ପର୍ଯ୍ୟନ୍ତ ରହିବା ପରେ ପ୍ରତ୍ୟେକ ଯାତ୍ରୀଙ୍କୁ ଖାଦ୍ୟ ପ୍ୟାକେଟ ଓ ପାଣି ବୋତଲ ଦିଆଯାଇଥିଲା। ଏହାପରେ ଟ୍ରେନ୍‌ ଭଦ୍ରକ ଅଭିମୁଖେ ବାହାରିଥିଲା।

ସମ୍ବନ୍ଧିତ ଖବର