ଯାଜପୁର/ଚଢ଼େଇଧରା: ଲଘୁ ଖଣିଜ ଚୋରା ଚାଲାଣର ପେଣ୍ଠ ପାଲଟିଛି ଯାଜପୁର ଜିଲ୍ଲା। ଚୋରି ଉପରେ ଅଙ୍କୁଶ ଲଗାଇବାକୁ ସରକାର ଲଘୁ ଖଣିଜ ସଂପଦକୁ ରାଜସ୍ବ ବିଭାଗ ହାତରୁ କାଢ଼ି ମାର୍ଚ୍ଚ ମାସରେ ଖଣି ବିଭାଗକୁ ଦାୟିତ୍ବ ଦେଇଥିଲେ। ଖଣି ବିଭାଗ ଅଧୀନରେ ଲଘୁ ଖଣିଜ ସମ୍ପଦ ପରିଚାଳନା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଖୋଲାଗଲା। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ମହରଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ହୋଇଛି। ନଦୀଶଯ୍ୟାକୁ ବାଲି ମାଫିଆ କବ୍ଜାକୁ ନେଇଯାଇଥିବା ବେଳେ ପାହାଡ଼ ଓ ହୁଡ଼ିଗୁଡ଼ିକୁ ପଥର ବେପାରୀ ଖୋଳିତାଡ଼ି ଧ୍ବଂସ କରିବାରେ ଲାଗିଛନ୍ତି। ମାଟି, ମୋରମ୍ କଥା ନକହିବା ଭଲ। ଏଭଳି ସ୍ଥିତିରେ ଯାଜପୁର ଟାଉନ୍ରେ ଖୋଲାଯାଇଥିବା ଲଘୁ ଖଣିଜ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଚୁପ୍ ବସିଛି।
ଜିଲ୍ଲାର ଯାଜପୁର, ରସୁଲପୁର, ବ୍ୟାସନଗର, ବରୀ ଓ ବିଂଝାରପୁର ତହସିଲ ଅଞ୍ଚଳରେ ବୈତରଣୀ, ବୁଢ଼ା, ବ୍ରାହ୍ମଣୀ, ଖରସ୍ରୋତା ଓ ବିଭିନ୍ନ ଶାଖାନଦୀର ଶଯ୍ୟା ବାଲି ମାଫିଆଙ୍କ କବ୍ଜାରେ ରହିଛି। ମେସିନ ଲଗାଇ ଦୈନିକ ଲକ୍ଷ ଲକ୍ଷ ଟନ୍ ବାଲି ଏଠାରୁ ଚୋରା ଚାଲାଣ ହେଉଛି। ଲିଜ୍ ଓ ରାଜସ୍ବ ଆଦାୟରୁ ମୁକ୍ତ ହୋଇଥିଲେ ହେଁ ଏନ୍ଫୋର୍ସମେଣ୍ଟ ଦାୟିତ୍ବରେ ପୂର୍ବଭଳି ତହସିଲ,ପୁଲିସ ଓ ଅନ୍ୟାନ୍ୟ ବିଭାଗ ରହିଛି। ମାତ୍ର ଏହି ବିଭାଗଗୁଡ଼ିକ ଚୋରି ରୋକିବା ପରିବର୍ତ୍ତେ ଭିତିରି ସହଯୋଗ କରୁଛନ୍ତି। ସେହିପରି ଧର୍ମଶାଳା ତହସିଲରେ ପଥର ମାଫିଆ ଧ୍ବଂସଲୀଳା ଚଳାଇଛନ୍ତି। ଡଙ୍କାରୀ, ରାହାଡ଼ପୁର, ବରଡ଼ା, ମାଳଗୋଡ଼ା, ବାରମାଣ, ବାଘୁଆ, ବାଜବାଟି, ଆରୁହା ଓ କୁସୁନପୁର ମୌଜାରେ ଥିବା କଳାପଥର ପାହାଡ଼ଗୁଡ଼ିକ ସଫା ହେବାକୁ ବସିଲାଣି। ଏପରିକି ଜଙ୍ଗଲ ଓ ରାଜସ୍ୱ ଜମିରୁ ବେଆଇନ ଖନନ ହେଉଛି। ମୋଟ ୭୯ କଳାପଥର ସୈରାତ ମଧ୍ୟରୁ ମାତ୍ର ୨୭ଟି ସୈରାତ ବୈଧ ରହିଛି।
ଲିଜ୍ ଦିଆଯାଉ କିମ୍ବା ନ ଦିଆଯାଉ ସବୁ ଖାଦାନରୁ ଖନନ ଚାଲିଛି। ନାମକୁ ମାତ୍ର ତହସିଲ ପକ୍ଷରୁ ଚଢ଼ଉ କରାଯାଉଛି। ମେସିନ ଜବତ ପରେ ମାମଲା ରୁଜୁ ନକରି ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଛି। ପଥରମାଫିଆ ଓ ପ୍ରଶାସକଙ୍କ ଲୁଚକାଳି ଖେଳ ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ଦୈନିକ ଡ୍ରିଲିଂ ଓ ବ୍ଲାଷ୍ଟିଂ ଯୋଗୁଁ ଆଖପାଖର ଜନବସତି ଥରି ଉଠୁଛି। ରାହାଡ଼ପୁର, ଡଙ୍କାରୀ, ବିଛାଖଣ୍ଡି, ମାଳଗୋଡ଼ା ପାହାଡ଼ରେ ଶହଶହ ପୋକଲେନ୍, କମ୍ପ୍ରେସର ଖନନରେ ଲାଗିଛନ୍ତି। କେତେକ ସ୍ଥାନରେ ୱାଗାନ ବ୍ଲାଷ୍ଟିଂ ହେଉଛି l ଖଣି ବିଭାଗ ଜିପିଏସ୍ ଲିଙ୍କ୍ ଥିବା ସୈରାତ ଓ ନିକଟବର୍ତ୍ତୀ ଅଞ୍ଚଳରେ ସାଟେଲାଇଟ ସର୍ଭେ ଦ୍ବାରା ତଦନ୍ତ କରିବାକୁ ଦାବି ହେଉଛି l ସେହିପରି ବୈଧ ସୈରାତଗୁଡିକ ମଧ୍ୟରୁ ଅନେକ ଟିପି ନନେଇ ଖନନ କରୁଥିବା ବେଳେ ଖଣି ବିଭାଗ ନିରବ ରହିଛି l କେତେକ ପଥର ବେପାରୀ ତହସିଲର ୱାଇଫର୍ମକୁ ଢାଲ କରିଥିବା ବେଳେ ଆଉ କିଛିଜଣ ବିନା ୱାଇଫର୍ମ ଓ ବିନା ଟିପିରେ କାମ ଜାରି ରଖିଛନ୍ତି l ମାଫିଆରାଜ ପାଇଁ ଜିଲ୍ଲାରେ ଆଇନ ଶୃଙ୍ଖଳା ମଧ୍ୟ ବିଗିଡ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/7-16.jpg)