ଭୁବନେଶ୍ବର: ରାଜ୍ୟ ସରକାର ଆଜି କ୍ୟାବିନେଟ୍ ବୈଠକରେ ଦୁଇଟି ମନ୍ଦିର ଓ ୨ଟି ମସ୍‌ଜିଦ୍ ପାଇଁ ହାତ ଖୋଲା ବଜେଟ୍ ଘୋଷଣା କରିଛନ୍ତି। ଉଭୟ ହିନ୍ଦୁ ଓ ମୁସଲିମ୍ ଧର୍ମାବଲମ୍ବୀଙ୍କୁ ସନ୍ତୁଷ୍ଟ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚତୁଃପାର୍ଶ୍ବର ଐତିହ୍ୟ ଓ ଭବ୍ୟତାର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ‘ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ’ ଯୋଜନା ପାଇଁ ୬୫୬.୭୩କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ ମିଳିଛି। ଏହି ଯୋଜନାର କାର୍ଯ୍ୟକାରିତା ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ରହିବ। ସେହିପରି ନିକଟରେ ଲୋକାର୍ପିତ ହୋଇଥିବା ସମଲେଇ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କ ଆର୍ଥିକ ସୁଯୋଗ ସୃଷ୍ଟି କରିବା ସହ ମନ୍ଦିର ଚାରିପାଖରେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ କରିବାକୁ ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାକୁ ୩୮୮.୨୬କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରିଥିବାବେଳେ ଏହାର କାର୍ଯ୍ୟକାରିତା ୨୦୨୧-୨୨ରୁ ୨୦୨୪-୨୫ ପର୍ଯ୍ୟନ୍ତ ରହିବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ସନ୍ଥ ଭୀମ ଭୋଇ ମହିମା ଅଲେଖ ଟ୍ରଷ୍ଟ, ଗୋଣ୍ଡ, ଅଘରିଆ, ମେହେର ସମାଜକୁ ମାଗଣାରେ ଅଧ ଏକର ଲେଖାଏ ଜମି

ଏହାବାଦ୍ ଭୁବନେଶ୍ବରର ୟୁନିଟ-୪, ଭୌମନଗରସ୍ଥିତ ମସଜିଦ୍ ସପକ୍ଷରେ ଆବଣ୍ଟିତ ଏକ ଏକର ଜମିରୁ ବ୍ୟାବସାୟିକ ଉପଯୋଗ ହେଉଥିବା ୦.୩୯୦ଡିସିମିଲ ଜମିର ଭୂମିର ଅଧିମୂଲ୍ୟ ବାବଦକୁ ୩କୋଟି ୭୦ଲକ୍ଷ ୫୦ହଜାର ଟଙ୍କାକୁ ଛାଡ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୟୁନିଟ୍‌-୪ରେ ମଧୁସୂଦନନଗର ମୌଜାରେ ଲିଜ୍ ସୂତ୍ରରେ ଥିବା ‘ରିଜର୍ଭ ପୁଲିସ ଲାଇନ୍ ମସଜିଦ୍’କୁ ମକତାବ୍ ବା ମସଜିଦ୍ ଉଦ୍ଦେଶ୍ୟରେ ଆବଣ୍ଟିତ ୦.୨୮୦ଡିସିମିଲ ଭୂମିର ଅଧିମୂଲ୍ୟ ବାବଦକୁ ୨କୋଟି ୭୦ଲକ୍ଷ ୪୦ହଜାର ଟଙ୍କା ଛାଡ଼ କରିବାକୁ ସରକାର ସ୍ଥିର କରିଛନ୍ତି। ଏହା ବାଦ୍ ମହିମା ଧର୍ମର ପ୍ରଚାରପ୍ରସାର ଓ ସମାଜର ହିତ ସାଧନ ନିମନ୍ତେ ଡୁମଡୁମାରେ ‘ସନ୍ଥ ଭୀମଭୋଇ ମହିମା ଅଲେଖ ଟ୍ରଷ୍ଟ’କୁ ଆବଣ୍ଟନ ହୋଇଥିବା ଅଧଏକର ୫୦୦ ଡିସିମିଲ ଜମିର ଅଧିମୂଲ୍ୟ ବାବଦକୁ ୩କୋଟି ୩୦ଲକ୍ଷ ଟଙ୍କା ଛାଡ଼ କରାଯାଇଛି।

ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ‘ଗୋଣ୍ଡ ଭବନ’ ନିର୍ମାଣ ନିମନ୍ତେ ଆବଣ୍ଟିତ ଅଧ ଏକର ବା ୫୦୦ଡିସିମିଲ ଜମିର ମୂଲ୍ୟ ବାବଦକୁ ୫କୋଟି ୬୦ଲକ୍ଷ ଟଙ୍କା ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଚନ୍ଦ୍ରଶେଖରପୁରରେ ଲିଜ୍ ସୂତ୍ରରେ ‘ଅଗ୍ରଗାମୀ-ଅଘରିଆ ସମାଜ’ ସପକ୍ଷରେ ଅଘରିଆ ସମାଜର କଲ୍ୟାଣ ଓ ଭୁବନେଶ୍ବରରେ ସଂଚାର ଉପଯୋଗିତା ନିମନ୍ତେ ଏକ ଭବନ ନିମନ୍ତେ ଆବଣ୍ଟିତ ଅଧ ଏକର ବା ୫୦୦ଡିସିମିଲ ଜମିର ଅଧିମୂଲ୍ୟ ବାବଦକୁ ସରକାର ୫କୋଟି ୬ଲକ୍ଷ ଟଙ୍କା ଛାଡ଼ କରିଛନ୍ତି। ସେହି ଚନ୍ଦ୍ରଶେଖରପୁରରେ ଲିଜ୍ ସୂତ୍ରରେ ମେହେର (ଭୁଲିଆ) ସମାଜ ସପକ୍ଷରେ ‘ସ୍ବଭାବକବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ନିମନ୍ତେ ଆବଣ୍ଟିତ ଅଧ ଏକର ବା ୫୦୦ଡିସିିମିଲ ଜମିର ଅଧିମୂଲ୍ୟ ବାବଦକୁ ୫କୋଟି ୬ଲକ୍ଷ ଟଙ୍କା ଛାଡ଼ କରାଯାଇଛି। ଏହାଦ୍ବାରା ପଛୁଆବର୍ଗର ଏହି ସମାଜଗୁଡ଼ିକ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।