ଭୁବନେଶ୍ବର: ରୋଗୀ ଚିକିତ୍ସା ଖର୍ଚ୍ଚ ଦିନକୁ ଦିନ ବ୍ୟୟବହୁଳ ହେଉଛି। ଚିକିତ୍ସା ପାଇଁ ଲୋକଙ୍କୁ ନିଜ ପକେଟ୍ରୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ହେଲେ ଓଡ଼ିଶାରେ ରୋଗୀ ଚିକିତ୍ସା ବାବଦ ପକେଟରୁ ଖର୍ଚ୍ଚ (ଓଓପିଇ) ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି। ଗତ ୫ବର୍ଷ ଭିତରେ ଏଥିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି। ୨୦୧୫-୧୬ ମସିହାରେ ଓଡ଼ିଶାରେ ଚିକିତ୍ସା ବାବଦ ଖର୍ଚ୍ଚ ହାର ୭୧.୫% ଥିବା ବେଳେ ୨୦୨୧-୨୨ ମସିହା ବେଳକୁ ଏହା ୩୭.୧%କୁ ହ୍ରାସ ପାଇଛି। ବର୍ତ୍ତମାନ ସ୍ଥିତିରେ ଓଡ଼ିଶାରେ ପକେଟରୁ ଖର୍ଚ୍ଚ ହାର ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ କମ୍ ରହିଛି। କେରଳ, ଆନ୍ଧ୍ର, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ପକେଟରୁ ଖର୍ଚ୍ଚ ହାର ଓଡ଼ିଶାଠାରୁ ଯଥେଷ୍ଟ ଅଧିକ। ଜାତୀୟ ସ୍ବାସ୍ଥ୍ୟ ମିସନ(ଏନ୍ଏଚ୍ଏମ୍)ର ବୈଷୟିକ ସହାୟତା ପ୍ରତିଷ୍ଠାନ ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟ(ଏନ୍ଏଚ୍ଏ) ପକ୍ଷରୁ ଜାରି ରିପୋର୍ଟରେ ଏଭଳି ତଥ୍ୟ ମିଳିଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅଧିକ ବ୍ୟୟବରାଦ ସାଙ୍ଗକୁ ସାର୍ବଜନୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏହା ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି।
ଏନ୍ଏଚ୍ଏ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ମୁଣ୍ଡପିଛା ଖର୍ଚ୍ଚ ୨୦୧୫-୧୬ରେ ୩୭୬୮ ଟଙ୍କା ଥିବା ବେଳେ ୨୦୨୧-୨୨ ମସିହା ବେଳକୁ ଏହା ବୃଦ୍ଧି ପାଇ ୫୭୪୯ରେ ପହଞ୍ଚିଛି। ହେଲେ ଏହି ସମୟରେ ଚିକିତ୍ସା ବାବଦ ପକେଟରୁ ଖର୍ଚ୍ଚ ୨୬୯୩ ଟଙ୍କାରୁ ୨୧୩୩ ଟଙ୍କାରୁ କମି ଆସିଛି। ରାଜ୍ୟରେ ମୋଟ ଚିକିତ୍ସା ବ୍ୟୟ(ଟିଏଚ୍ଇ) ୧୬,୫୭୯କୋଟିରୁ ୨୬,୪୪୫କୋଟିକୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟୟ ଗତ ୫ବର୍ଷରେ ୪ଗୁଣା ବୃଦ୍ଧି ପାଇଛି। ୨୦୧୫-୧୬ରେ ସରକାରୀ ଚିକିତ୍ସା ବ୍ୟୟ ୩୩୫୪କୋଟି ଥିବା ବେଳେ ୨୦୨୧-୨୨ରେ ଏହା ୧୪,୧୦୮କୋଟିକୁ ବୃଦ୍ଧି ପାଇଛି। ଏଥିଯୋଗୁଁ ମୁଣ୍ଡ ପିଛା ଚିକିତ୍ସା ବ୍ୟୟ ୭୬୨ ଟଙ୍କାରୁ ୩୦୬୭ଟଙ୍କାକୁ ବଢ଼ିଯାଇଛି।
୫ବର୍ଷ ଭିତରେ ଖର୍ଚ୍ଚ ହାର ୭୧%ରୁ ୩୭%କୁ ହ୍ରାସ
ସାର୍ବଜନୀନ ସ୍ବାସ୍ଥ୍ୟ ଯୋଜନାରୁ ଫାଇଦା
ରାଜ୍ୟରେ ସାର୍ବଜନୀନ ଚିକିତ୍ସା ଯୋଜନା ଲାଗୁ ହେବା ପରେ ଲୋକଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଛି। ତତ୍କାଳୀନ ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧କୋଟି ପରିବାରଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଆରମ୍ଭ କରିଥିଲେ। ଏଥିରେ ପରିବାରର ଜଣେ ସଦସ୍ୟଙ୍କ ଚିକିତ୍ସା ବାବଦରେ ୫ଲକ୍ଷ ଓ ମହିଳା ସଦସ୍ୟଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସୁବିଧା ରହିଥିଲା। ଓଡ଼ିଶାରେ ସରକାର ବଦଳିବା ପରେ ମଧ୍ୟ ଏହି ଯୋଜନା ଜାରି ରହିଛି, ହେଲେ ଏହାର ନାମ ବଦଳିବା ସହ ଏବେ ତାହା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ହୋଇଛି। ରାଜ୍ୟର ବିଜେପି ସରକାର ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି। ଏହା ଲାଗୁ ହେବା ପରେ ରାଜ୍ୟରେ ଚିକିତ୍ସା ବାବଦ ପକେଟରୁ ଖର୍ଚ୍ଚ ଆହୁରି ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସ୍ବାସ୍ଥ୍ୟ ଆସ୍ୟୁରାନ୍ସ ସମିତି(ଏସ୍ଏଚ୍ଏଏସ୍) ପକ୍ଷରୁ ରାଜ୍ୟରେ କିଭଳି ଢଙ୍ଗରେ ଆୟୁଷ୍ମାନ ଭାରତକୁ ଲାଗୁ କରାଯିବ ତାହାର ଏକ ମୋଡାଲିଟି ପ୍ରସ୍ତୁତ କରାଯାଉଛି। ଯେହେତୁ ରାଜ୍ୟରେ ପୂର୍ବରୁ ଏକ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟ କରୁଛି ତେଣୁ ଏଥିରେ ଆଉ କେତେ ପରିବାରଙ୍କୁ ସାମିଲ କରାଯିବ ତାହା ଉପରେ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2024/08/treatment.jpg)