ଫୁଲବାଣୀ : ବର୍ତ୍ତମାନ ମହୁଲ ଫୁଲର ଋତୁ ହୋଇଥିବା ବେଳେ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ଜିଲ୍ଲାର ଆଦିବାସୀମାନେ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଥା’ନ୍ତି। ଏହା ଅନ୍ୟତମ ଲଘୁ ବନଜାତ ଦ୍ରବ୍ୟ ହୋଇଥିବା ବେଳେ ଏବେ ତାଲିକାରୁ ବାଦ୍‌ ପଡ଼ିଛି। ଫଳରେ ଆଦିବାସୀଙ୍କୁ ଏହାର ଉଚିତ୍‌ ମୂଲ୍ୟ ମିଳିପାରୁ ନାହିଁ। ଏକ ହିସାବରୁ ଜଣାପଡ଼ିଛି, ଜିଲ୍ଲାର ମୋଟ ୧୨ଟି ବ୍ଲକ୍‌ରୁ ବାର୍ଷିକ ୫୦୦ କ୍ବିଣ୍ଟାଲ୍‌ ମହୁଲ ସଂଗ୍ରହ ହେଉଛି। ତେବେ ବାହାର ଅଞ୍ଚଳର ବେପାରୀ ସିଧାସଳଖ ଆଦିବାସୀଙ୍କ ପାଖରେ ପହଞ୍ଚି କମ୍‌ଦରରେ ଆଦିବାସୀଙ୍କ ଠାରୁ କିଣି ନେଉଛନ୍ତି।
Advertisment
ଆଦିବାସୀ ପୁରୁଷ ଓ ମହିଳା ଜଙ୍ଗଲରେ ଥିବା ମହୁଲଗଛ ମୂଳରୁ ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ଦିନକୁ ଜଣେ ୫ରୁ ୧୦କିଲୋ ପର୍ଯ୍ୟନ୍ତ ମହୁଲ ଫୁଲ ସଂଗ୍ରହ କରିଥା’ନ୍ତି। ସେହିଭଳି ଗୋଟିଏ ଗୋଟିଏ ପରିବାର ମିଶି ୨୦ରୁ ୩୦କିଲୋ ପର୍ଯ୍ୟନ୍ତ ମହୁଲ ସଂଗ୍ରହ କରିଥା’ନ୍ତି। ଜନଜାତିର ଲୋକେ ମହୁଲ ଫୁଲକୁ ଏକ ଲାଭଦାୟକ ବନଜାତ ଦ୍ରବ୍ୟ ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଆଦିବାସୀମାନେ ମହୁଲ ଫୁଲର ଉଚିତ୍‌ ମୂଲ୍ୟ ପାଉନାହାନ୍ତି। ମହୁଲ ଫୁଲର ମୂଲ୍ୟ ଧାର୍ଯ୍ୟ କରାଯାଇ ପାରୁ ନଥିବାରୁ ବାହାର ଅଞ୍ଚଳର ଦଲାଲ୍‌ ଶସ୍ତାରେ ମହୁଲ ଫୁଲ ନେଇ ଯାଉଛନ୍ତି। ନିୟମ ଦୃଷ୍ଟିରୁ ପଞ୍ଚାୟତ ମହୁଲ ଫୁଲର ଦର ଧାର୍ଯ୍ୟ କରିବା କଥା। ମାତ୍ର, ଏହା ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। କେଉଁଠି ପଞ୍ଚାୟତ ମହୁଲ ଫୁଲ କେଜି ପ୍ରତି ୩୦ ଟଙ୍କା ଦର ଧାର୍ଯ୍ୟ କରିଥିବା ବେଳେ ଦଲାଲମାନେ ୧୦ରୁ ୧୫ ଟଙ୍କାରେ କିଣି ନେଉଛନ୍ତି। ଅପରପକ୍ଷେ, ମହୁଲ ଫୁଲରୁ ମହୁଲି ମଦଠାରୁ ଆରମ୍ଭ କରି କେକ୍‌, ମହୁଲ ଫୁଲ ପିଠା, ବିସ୍କୁଟ୍‌, ଜେଲି, ଜାମ୍‌, ଚକୋଲେଟ୍‌ ଭଳି ବିଭିନ୍ନ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରାଯାଏ। ରାଜ୍ୟର କିଛି ଜିଲ୍ଲାରେ ମହୁଲ ଫୁଲରୁ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଓ ଫ୍ଲୋର୍‌ କ୍ଲିନର୍‌ ମଧ୍ୟ ପ୍ରସ୍ତୁତି ହେଲାଣି।
ପୂର୍ବରୁ ମହୁଲ ଫୁଲ ଭଳି ଲଘୁ ବନଜାତ ଦ୍ରବ୍ୟକୁ ଟିଡିସିସି (ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ) କିଣୁଥିଲା। ମାତ୍ର କିଛି ବର୍ଷ ହେଲା ମହୁଲ ଫୁଲକୁ ଲଘୁ ବନଜାତ ଦ୍ରବ୍ୟ ତାଲିକାରୁ ବାଦ୍‌ ଦିଆଯାଇଛି। ଅନ୍ୟପଟେ ମହୁଲ ଫୁଲ ଅଧିକ ପରିମାଣରେ ସଞ୍ଚିତ କରି ରଖିଲେ ଅବକାରୀ ବିଭାଗ ଚଢ଼ଉ କରି ତାକୁ ନଷ୍ଟ କରି ଦେଉଛି। ଜିଲ୍ଲାରେ ମହୁଲ ଫୁଲକୁ ନେଇ କୌଣସି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନଥିବା ବେଳେ ସରକାର ମହୁଲ ଫୁଲକୁ ତୁରନ୍ତ ଲଘୁ ବନଜାତ ଦ୍ରବ୍ୟ ତାଲିକାରେ ସାମିଲ କରିବା ସହ କିଣିବାର ବ୍ୟବସ୍ଥା କଲେ ଗରିବ ଆଦିବାସୀ ଉପକୃତ ହୋଇପାରନ୍ତେ ବୋଲି ଆଦିବାସୀ ନେତା ଘନ କୁମାର ଶବର କହିଛନ୍ତି।