ଓୟୁଟିଆର୍‌କୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ, ପ୍ରଥମ ପର୍ଯ୍ୟା‌ୟରେ ଖର୍ଚ୍ଚ ହେବ ୩୦୦କୋଟି

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)ଙ୍କ ପରିଦର୍ଶନ ପରେ ଘୋଷଣା

ଭୁବନେଶ୍ବର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର୍‌)କୁ ଇଞ୍ଜିନିୟରିଂ ‌ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଏବଂ ଆଇଟି ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓୟୁଟିଆର୍‌ କ୍ୟାମ୍ପସ୍‌କୁ ଯାଇ ସେଠାରେ ଭିତ୍ତିଭୂମି ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିବା ସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
ଏହି ଆଲୋଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଅଧିକ ୪ଟି ବିଭାଗ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ସ୍ଥାପନ କରି ଜାତୀୟସ୍ତରରେ କିଭଳି ଏହାକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କରାଯିବ ସେଥିପ୍ରତି ଆଲୋଚନାରେ ଗୁରୁତ୍ବ ଦିଆଯାଇଛି। ଏହି ବିଶ୍ବବିଦ୍ୟାଳୟରେ ମୋଟ ୨୬ଟି ବିଭାଗ ଥିବା ବେଳେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେଣୁ ଏହାକୁ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଏହି ଅବସରରେ ଶ୍ରୀ ପାଣ୍ଡିଆନ ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟର ପ୍ଲାନ ଦେଖିବା ସହ ଭିତ୍ତିଭୂମିର ଆବଶ୍ୟକତା, କର୍ମଚାରୀ ଓ ଅଧ୍ୟାପକଙ୍କ ଆବଶ୍ୟକତା ସମେତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସମ୍ପର୍କରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ ବିଭାଗୀୟ ସଚିବଙ୍କ ସହ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି।
ଏହି ଗସ୍ତ ସମୟରେ ଦୁଇ ଅଧିକାରୀ ବିଶ୍ବବିଦ୍ୟାଳୟର ବିଭିନ୍ନ ଲାବୋରେଟୋରି ଓ ସ୍ମାର୍ଟକ୍ଲାସ ବୁଲି ଦେଖିଥିଲେ। ଏହାସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ମତାମତ ନେଇଥିଲେ। କୋଭିଡ ସମୟରେ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏହି ସମୟରେ ରାଜ୍ୟରେ ପ୍ରଥମେ ସ୍କୁଲ ଓ ପରେ କଲେଜର ରୂପାନ୍ତରୀକରଣ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଏବେ ବିଶ୍ବବିଦ୍ୟାଳୟ ଗୁଡିକର ରୂପାନ୍ତର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ଭାବେ ପରିଚିତ ଥିବାବେଳେ ଏବେ ଏହା ଓୟୁଟିଆର୍‌ ବା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ୨୦୨୧ ଜୁଲାଇ ୧୭ ତାରିଖରେ ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର