ଦୁର୍ଘଟଣା ପାଇଁ ଆଇନକୁ ହାତକୁ ନେଲେ ଉତ୍ତ୍ୟକ୍ତ ଲୋକେ: ସର୍ଭେସଂସ୍ଥାର ମ୍ୟାନେଜରଙ୍କୁ ପିଟିପିଟି ହତ୍ୟା

ବାରିପଦା: ମୟୂରଭଞ୍ଜରେ ସଡ଼କ ଦୁର୍ଘଟଣାକୁ ନେଇ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ଘଟଣା ଯୋଗୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଏକ ସର୍ଭେସଂସ୍ଥାର ମ୍ୟାନେଜରଙ୍କ ପ୍ରାଣ ଯାଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କର ବି ପତ୍ତା ମିଳୁନି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ଏଥିସହିତ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ ପ୍ରକାଶ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କତରା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମାଞ୍ଚଳରେ ପାନୀୟ ଜଳ ‌ଯୋଗାଣ ନିମନ୍ତେ ଏକାଧିକ ମେଗା ପ୍ରକଳ୍ପ କାମ ଚାଲିଛି। ସେଥିରୁ ହାଇଦ୍ରବାଦର ମଣ୍ଟେକାଲ ନାମକ ଏକ ସର୍ଭେ ସଂସ୍ଥା ପାଇପଲାଇନ୍ ସଂଯୋଗୀକରଣ ଦାୟିତ୍ବ ନେଇଛି। ସାରସକଣା ବ୍ଲକ୍‌ ବମ୍ବେ ଛକରେ ଉକ୍ତ ସ୍ଥଂସ୍ଥାର କାର୍ଯ୍ୟାଳୟରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ନନ୍ଦିପଦା ଥାନା ତେନ୍ତୁଳିପଦି ଗାଁର ସତ୍ୟନାରାୟଣ ନନ୍ଦ(୪୫)। ଆଜି ଶ୍ରୀ ନନ୍ଦ ଓ ତାଙ୍କର ଜଣେ ସହକର୍ମୀ ଉତ୍ତର ପ୍ରଦେଶର ଫୁଲଚନ୍ଦ ଶର୍ମା(୪୬) ଏକ ସ୍କର୍ପିଓ ଗାଡ଼ିରେ ବାଙ୍ଗିରପୋଷି ବ୍ଲକ୍‌ର କିଛି ଗାଁକୁ ଯାଇ ସର୍ଭେ କରି ଫେରୁଥିଲେ। ଦିନ ପ୍ରାୟ ୧୨ଟା ବେଳେ କତରା ନିକଟରେ ବିପରୀତ ଦିଗରୁ ସ୍କୁଟିରେ ଆସୁଥିବା ହରିହର ସେଠୀ(୬୭)ଙ୍କ ସହ ଧକ୍କା ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ହରିହରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହିସମୟରେ ସ୍ଥାନୀୟ ଲୋକେ ଜମା ହୋଇଯିବା ସହ ସ୍କୋର୍ପିଓକୁ ଘେରି ଯାଇଥିଲେ ଏବଂ ଗାଡ଼ିରେ ବସିଥିବା ସତ୍ୟନାରାୟଣ, ଫୁଲଚନ୍ଦ ଏବଂ ଡ୍ରାଇଭରଙ୍କୁ ଟାଣିଆଣି ପିଟାପିଟି କରିଥିଲେ।

କ୍ଷତିପୂରଣ ଦାବିରେ ବାଙ୍ଗିରପୋଷି-ଝାରପୋଖରିଆ ରାସ୍ତା ଅବରୋଧ କରିଥିଲେ। ଏପଟେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରେ ଗୁରୁତର ସତ୍ୟନାରାୟଣ ଓ ଫୁଲଚନ୍ଦଙ୍କୁ ପୁଲିସ ଉଦ୍ଧାର କରି ପ୍ରଥମେ ବାଙ୍ଗିରପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ଉଭୟଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ସତ୍ୟନାରାୟଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଫୁଲଚନ୍ଦଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭରଙ୍କର ଏଯାଏ ପତ୍ତା ମିଳୁନି। ଆଇନ୍‌କୁ ହାତକୁ ନେଇ ସତ୍ୟନାରାୟଣଙ୍କୁ ହତ୍ୟା କରିଥିବା ଲୋକଙ୍କୁ ଖୋଜୁଛି ପୁଲିସ। ଭିଡିଓ ଫୁଟେଜ ଦେଖି ଆକ୍ରମଣକାରୀଙ୍କୁ ଚିହ୍ନଟ ଓ ଗିରଫଦାରୀ ପାଇଁ ବାରିପଦା ସଦର ଏସ୍‌ଡିପିଓ କେକେ ହରିପ୍ରସାଦଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ ହୋଇଛି। ଖୁବ୍‌ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର