ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଲେ ବାହାର ଭକ୍ତ, ପୁଲିସ ସହ ମନ୍ଦିର ପ୍ରଶାସନର ବୈଠକ

ଏଥର ଗୁଣ୍ଡିଚା ମନ୍ଦିର ଜଗିବେ ପୁଲିସ

ପୁରୀ: କୋଭିଡ୍‌ କଟକଣା ପାଇଁ ଶ୍ରୀମନ୍ଦିର ସହ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଛି। ତଥାପି ଆଜି ସବୁ କଟକଣାକୁ ଉଲ୍ଲଂଘନ କରି ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଛନ୍ତି ବାହାର ଭକ୍ତ। ଯେଉଁ ଭିଡିଓ ସୋସିଆଲ୍‌ ମିଡିଆରେ ବି ଭାଇରାଲ୍‌ ହେବାରେ ଲାଗିଛି। ଭକ୍ତ ମହଲ ବି ଏହାକୁ ଦୃଢ଼ ବିରୋଧ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଜଣେ ମହିଳା ଓ ଜଣେ ପୁରୁଷ ଶ୍ରୀଗୁଣ୍ଡିଚା ଜୟ-ବିଜୟ ଦ୍ବାରରେ ଲାଗିଥିବା ଛୋଟ ଦ୍ବାର ଖୋଲି ଭିତରେ ପ୍ରବେଶ କରିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ପରେ ପୁନର୍ବାର ବାହାରକୁ ଆସିଥିଲେ। ବଡ଼କଥା ହେଉଛି, ଏହି ଦୁଇ ବ୍ୟକ୍ତିଙ୍କ ସହ କର୍ଣ୍ଣାଟକର କିଛି ପୁଲିସ ବି ଆସିଥିଲେ। ପୁଲିସ ଭ୍ୟାନ୍‌ରୁ ଓହ୍ଲାଇବା ପରେ ଦୁଇଜଣ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ। ମନ୍ଦିର ବୁଲିବା ପରେ ପୁନର୍ବାର ଗାଡ଼ିରେ ବସି ପଳାଇଥିଲେ। ସାଙ୍ଗରେ ଆସିଥିବା ପୁଲିସଙ୍କୁ କେଉଁଠୁ ଆସିଥିଲେ ପଚରାଯାଇଥିଲେ ବି ଏମାନେ କିଛି ନ କହି ପଳାଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲା ବାହାରର ଭକ୍ତ ତ ଦୂରର କଥା ଯେଉଁଠି ପୁରୀ ସହରର ଭକ୍ତଙ୍କୁ ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ବାରଣ କରାଯାଇଛି, ସେଠି ବାହାର ରାଜ୍ୟରୁ ଆସି ଦୁଇ ବ୍ୟକ୍ତି ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁନାହାଁନ୍ତି। ଯିଏ ବି ହେଉ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେବାୟତ ମହଲ ଦାବି କରିଛନ୍ତି।

ଅନ୍ୟପଟେ ଏହି ଘଟଣା ପରେ ଆଜି ପୁଲିସ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିରର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଯେହେତୁ ଶ୍ରୀଗୁଣ୍ଡିଚା ମନ୍ଦିର ଜଗିବାକୁ ଆବଶ୍ୟକ କର୍ମଚାରୀର ଅଭାବ ଦେଖା ଦେଇଛି, ସେଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମନ୍ଦିର ପ୍ରଶାସନ ପ୍ରସ୍ତାବ ଦେଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଓଡ଼ିଶା ପୁଲିସ ମୁତୟନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆଲୋଚନା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର