ଆଉଟସୋର୍ସିଂ କର୍ମଚାରୀ ଶୋଷଣର ଶିକାର

ବେଠି ପ୍ରଥା, କୋଭିଡ୍‌ରେ ମୃତ୍ୟୁ ପରେ ବି ସହାୟତା ପ୍ୟାକେଜ୍‌ରୁ ବଞ୍ଚିତ

ଭୁବନେଶ୍ବର: ଶୋଷଣର ଶିକାର ହେଉଛନ୍ତି ଆଉଟସୋର୍ସିଂ କର୍ମଚାରୀ। ସର୍ବନିମ୍ନ ମଜୁରି, ସମାନ କାମକୁ ସମାନ ଦରମା ଭଳି ସରକାରୀ ନିୟମ ଯେମିତି ତାଙ୍କ ପାଖକୁ ଆସି ବାଟ ହୁଡ଼ିଛି। ନିଯୁକ୍ତିକାରୀ ସଂସ୍ଥା ସେମାନଙ୍କୁ ଉପଯୁକ୍ତ ବେତନ ତ ଦେଉ ନାହିଁ; ଓଲଟି ଜିଏସ୍‌ଟି ନାମରେ ବେଆଇନ ଭାବରେ ଟଙ୍କା କାଟୁଛି। ଭବିଷ୍ୟତ ସୁରକ୍ଷା ପାଇଁ ଇପିଏଫ୍‌, ଇଏସ୍‌ଆଇ ଟଙ୍କା କଟାଯାଉଥିଲେ ମଧ୍ୟ ଅନେକ ସଂସ୍ଥା ଏହାକୁ ଠିକ୍‌ ସ୍ଥାନରେ ଜମା କରୁଥିବା ନେଇ ମଧ୍ୟ ସନ୍ଦେହ ରହିଛି। ସ୍ବାସ୍ଥ୍ୟ, ଶ୍ରମ ବିଭାଗରେ ପ୍ରତ୍ୟକ୍ଷ ଭାବରେ କୋଭିଡ୍‌ ମୁକାବିଲା ବେଳେ ଅନେକ ଆଉଟସୋର୍ସିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କିନ୍ତୁ ସ୍ଥାୟୀ କର୍ମଚାରୀଙ୍କ ଭଳି କାହାକୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇ ନାହିଁ। ଏହାକୁ ନେଇ ବିଭିନ୍ନ ସ୍ତରରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

କିଛି ବର୍ଷ ହେଲା ସରକାର ନିଜେ ସିଧାସଳଖ ଚାକିରି ନଦେଇ ଆଉଟସୋର୍ସିଂ ଏଜେନ୍ସିଙ୍କୁ ଏଥିପାଇଁ କାର୍ଯ୍ୟରେ ଲଗାଯାଉଛି। ବର୍ତ୍ତମାନ ସ୍ଥିତି ହେଲା ସଚିବାଳୟଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ଆଉଟସୋର୍ସିଂ ଏଜେନ୍ସି ଜରିଆରେ ନିଯୁକ୍ତି ପାଇଛନ୍ତି। ୟୁଏନ୍‌ଡିପି ଭଳି ଆନ୍ତର୍ଜାତୀୟ ସଂସ୍ଥାଠାରୁ ଆରମ୍ଭ କରି ସ୍ଥାନୀୟ ଏଜେନ୍ସିଗୁଡ଼ିକ ଏହି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସରକାର ୟୁଏନ୍‌ଡିପି ସହିତ ଚୁକ୍ତିନାମା ପ୍ରତ୍ୟାହାର ପରେ ସ୍ଥାନୀୟ ଆଉଟସୋର୍ସିଂ ଏଜେନ୍ସିର ଶୋଷଣ ଆହୁରି ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ଏହି କର୍ମଚାରୀଙ୍କ ବେତନ ସରକାର ନିଜ ବହନ କରୁଛନ୍ତି କିନ୍ତୁ ସିଧାସଳଖ କର୍ମଚାରୀଙ୍କୁ ନଦେଇ ଏଜେନ୍ସି ଜରିଆରେ ଦିଆଯାଉଛି। ସଂସ୍ଥାଗୁଡ଼ିକ ପ୍ରଥମତଃ ନିୟମ ଦୃଷ୍ଟିରୁ ସର୍ଭିସ ଚାର୍ଜ ଭାବରେ ବେତନର ୨.୭ ପ୍ରତିଶତ ନେଉଛନ୍ତି। ଏହାବାଦ ମଧ୍ୟ ବିଭିନ୍ନ ଆଳରେ କର୍ମଚାରୀଙ୍କଠାରୁ ଟଙ୍କା କାଟୁଛନ୍ତି। ଯେଉଁମାନେ ଏହାର ବିରୋଧ କରୁଛନ୍ତି, ସେମାନଙ୍କୁ ଚାକିରିରୁ ତଡ଼ି ଦିଆଯାଉଛି। ଚାକିରି ପାଇଁ ବ୍ୟାପକ ଲାଞ୍ଚ କାରବାରର ମଧ୍ୟ ଅଭିଯୋଗ ହେଉଛି। ବିଟେକ୍‌, ଏମ୍‌ଟେକ୍‌, ସ୍ନାତକୋତ୍ତର ଭଳି ସର୍ବୋଚ୍ଚ ଶିକ୍ଷାଗତ ଯୋଗ୍ୟତାଧାରୀଙ୍କ ଠାରୁ ଆରମ୍ଭ ମାଟ୍ରିକ, ଯୁକ୍ତ ଦୁଇ ପର୍ଯ୍ୟନ୍ତ ଲିଖିତ, ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ପାଉଛନ୍ତି।

ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। କିନ୍ତୁ ବେତନ ପାଇବା ବେଳକୁ ଏହି କର୍ମଚାରୀଙ୍କୁ ସର୍ବନିମ୍ନ ବେତନ ୧୪ ହଜାର ଟଙ୍କା ମଧ୍ୟ ମିଳୁ ନାହିଁ। ଅନେକ ଉଚ୍ଚଶିକ୍ଷିତଙ୍କୁ ସାଢେ ୬ ହଜାରରୁ ୭ ହଜାର ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡ଼ୁଛି। ସେହି ସମାନ କାର୍ଯ୍ୟ କରି ସାଥୀ କର୍ମଚାରୀମାନେ ୧୦ରୁ ୧୨ ଗୁଣ ଅଧିକ ଦରମା ପାଉଛନ୍ତି। ନିଯୁକ୍ତକାରୀ ସଂସ୍ଥା ସହିତ ଚୁକ୍ତିନାମା ସରିଗଲେ କିମ୍ବା ସେମାନେ ଓହରିଗଲେ କର୍ମଚାରୀମାନଙ୍କୁ ତଡ଼ି ଦିଆଯାଉଛି। ଏପରିକି ୨୦୧୯ ମସିହାରେ ଅଚାନକ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉଟସୋର୍ସିଂ କର୍ମଚାରୀଙ୍କୁ ଛଟେଇର ନିଷ୍ପତ୍ତି ପରେ ଅନେକ ଜଣଙ୍କ ଚାକିରି ଚାଲି ଯାଇଥିଲା। ୨୦୨୦ ମସିହା ଲକ୍‌ଡାଉନ୍‌ରେ ବି ସ୍ବଳ୍ପ ବେତନଧାରୀ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା। ଲମ୍ବା ସମୟ ଧରି ଚାକିରି ପରେ ବି ପେନସନ୍‌ କିମ୍ବା ଗ୍ରାଚୁଇଟି, କାର୍ଯ୍ୟରତ ସମୟରେ ଦୁର୍ଘଟଣା କିମ୍ବା ମୃତ୍ୟୁ ହେଲେ ମଧ୍ୟ ସହାୟତାର ବ୍ୟବସ୍ଥା ନାହିଁ। ସରକାରୀ କ୍ଷେତ୍ରରେ ଏଭଳି ବ୍ୟବସ୍ଥା ରଖି ନିଜେ ନିଜ ନିୟମକୁ ସରକାର କାହିଁକି ଉଲ୍ଲଂଘନ କରୁଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର