ଭୁବନେଶ୍ବର: ସ୍ଥ‌ାୟୀ ନିଯୁକ୍ତି ଦାବିରେ ଆଜି ବିଧାନସଭା ସମ୍ମୁଖରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଧାରଣାରେ ବସିଛି। ଦାବି ପୂରଣ ନ ହେବା ଯାଏଁ ଲୋୟର ପିଏମ୍‌ଜି ଛାଡ଼ିବେ ନାହିଁ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସକାଳେ ବହୁ ସଂଖ୍ୟାରେ ଆଉଟସୋର୍ସିଂ କର୍ମଚାରୀ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ବିଧାନସଭା ଆଡ଼କୁ ମୁହାଁଇଥିଲେ। ‌ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ମହାସଂଘ ପକ୍ଷରୁ ‌ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା। ଏହି ସଭାରେ କୁହାଯାଇଥିଲା ଯେ, ନୂଆ ସରକାର କ୍ଷମତାକୁ ଆସିବା ପରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରି ସେମାନଙ୍କ ପରିବାର ପେଟରୁ ଦାନା ଛଡେଇ ନେଲେ।

Advertisment

ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କରାଯାଇଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳିଲା ନାହିଁ। ତୃତୀୟପକ୍ଷ ଦ୍ବାରା ନିଯୁକ୍ତ କେତେକ କର୍ମଚାରୀଙ୍କୁ ଦରମା ବୃଦ୍ଧି, ସାମୟିକ ଛୁଟି, ମାତୃତ୍ବକାଳୀନ ଛୁଟି, ଦୀର୍ଘ ସେବା ପାଇଁ ପ୍ରୋତ୍ସାହନ ରାଶି, ସଠିକ ସମୟରେ ଦରମା, ଇଏସ୍‌ଆଇ, ଇପିଏଫ୍‌ର ଭରଣା ସମ୍ପର୍କରେ ନୀତି ନିର୍ଘଣ୍ଟ କରିବାକୁ ଲୋକପାଳ ପଦବି ସୃଷ୍ଟି ଭଳି ଏକାଧିକ ବ୍ୟବସ୍ଥା କରାଯାଇଛି। କିନ୍ତୁ ଦୈନିକ ମଜୁରି ବ୍ୟବସ୍ଥାରେ ଥିବା କର୍ମଚାରୀଙ୍କୁ ତାହାର କାଣିଚାଏ ମଧ୍ୟ ଦିଆଗଲା ନାହିଁ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକାଧିକ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କିଛି ଫଳ ମିଳି ନଥିବା ଅଭିଯୋଗ ହୋଇଛି। ଆଜିର ଏହି ବିକ୍ଷୋଭରେ ମହାସଂଘର ରାଜ୍ୟ ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଭାପତି ସଞ୍ଜୟ ପଟ୍ଟନାୟକ, କର୍ମଚାରୀ ନେତା ବିଜୟ ମଲ୍ଲ, ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ଅଶୋକ ପାଇକରାୟ, ପ୍ରତାପ ଦାସ, ସମାଜିକ କର୍ମୀ ସୁଦର୍ଶନ ଦାସ, ମିହିର ନାରାୟଣ ଜେନା, ପ୍ରଶାନ୍ତ ପଟ୍ଟନାୟକ, ସାମ୍ୱାଦିକ ସତୀଶ ମିଶ୍ର ଯୋଗ ଦେଇଥିଲେ।