ଚୌଦ୍ବାର-ଗୁରୁଡିଝାଟିଆ : ବଡଓଷାରେ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆଜି ଧବଳେଶ୍ବରଙ୍କ ବଡସି˚ହାର ବେଶ ଦର୍ଶନ କରିଛନ୍ତି। ଭୋର ୩ଟାରୁ ମହାପ୍ରଭୁଙ୍କ ପାରଂପରିକ ରୀତିନିତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ତ୍ରେୟାଦଶୀ ଓ ଚର୍ତୁଦଶୀର ସନ୍ଧିରେ ସ୍ବତନ୍ତ୍ର ବଡସି˚ହାର ବେଶ ଅନୁଷ୍ଠିତ ହୋଇଛି।
ଆଜି ଭୋର ୫ଟାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଇଥିବା ବେଳେ ମଞ୍ଚେଶ୍ବର ଫାଣ୍ତି ନିକଟରୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଲମ୍ବାଧାଡି ଲାଗି ଥିଲା। ଏପଟେ ନଦୀଘାଟରୁ ଡଙ୍ଗାଯୋଗେ ପୀଠକୁ ଯିବାକୁ ମଧ୍ୟ ପ୍ରବଳ ଭିଡ ହୋଇଥିଲା। ଝୁଲାପୋଲ ଓ ନଦୀଘାଟ ୨ଟି ରାସ୍ତାକୁ ସଂଲଗ୍ନ କରୁଥିବା ମଞ୍ଚେଶ୍ବର ମୁଖ୍ୟ ଟ୍ରାଫିକ୍ ନିକଟରେ ଅସମ୍ଭାଳ ଭିଡକୁ ନିୟନ୍ତ୍ରଣ କରିବାପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡିଥିଲା। ଦିନତମାମ୍ ଏଭଳି ଭିଡ ରହିବା ସହିତ ରାତିରେ ବଡ଼ ଓଷା ବ୍ରତ କରୁଥିବା ହଜାର ହଜାର ଭକ୍ତ ପୀଠରେ ପହଞ୍ଚି ଥିଲେ। ଚଳିତ ବର୍ଷ କଟକ ଚହଟା ଘାଟକୁ ବନ୍ଦ କରିଦିଆଯାଇଥିବାବେଳେ ସିଡିଏ ନୂଆପାଟଣାକୁ ସ˚ଯୋଗ କରୁଥିବା ମଧୁ ସେତୁ ବାଟ ଦେଇ ଲକ୍ଷାଧିକ ଶ୍ରଦ୍ଧାଳୁ ପୀଠକୁ ଆସୁଥିବା ଦେଖିବାକୁ ମିଳିଛି।
ଆଜି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ମୁଖ୍ୟ ଅମିୟ କୁମାର ସାହୁ, ଏସ୍ପି ମାଧବ ଚନ୍ଦ୍ର ସାହୁ, ତହସିଲଦାର ତପନ କୁମାର ଖୁଣ୍ଟିଆ, ପ୍ରମୁଖ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଥିପାଇଁ ମନ୍ଦିର ପୂଜକ ସମିତି ସଭାପତି ବିଷ୍ଣୁ ଚରଣ ପତ୍ରୀ ଓ ଧବଳେଶ୍ବର ସେବାସ˚ସ୍ଥା ସଭାପତି କିରଣ କୁମାର ଖଟୁଆ ସମେତ ସମସ୍ତ ପୂଜକ ସମାଜ, କଲେଜ ଓ ସ୍କୁଲର ଏନ୍ଏସ୍ଏସ୍, ସ୍କାଉଟ୍ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ବିଶେଷକରି ଅନନ୍ତଗୋପାଳ ଭକ୍ତ ସେବା ସମାଜ ପକ୍ଷରୁ ସଙ୍ଗଠନର ସଦସ୍ୟମାନେ ମନ୍ଦିର ପରିସର ସ୍ବଚ୍ଛ ରଖିବା ଦିଗରେ କାର୍ଯ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Choudwar-Dhabaleswar-Badaosa-3.jpg)