ବାହାଘର ଭୋଜି ଖାଇ ଝାଡ଼ାବାନ୍ତିରେ ୨୦୦ ଆକ୍ରାନ୍ତ

କୁକୁଡ଼ା ମାଂସ ତରକାରୀ ଯୋଗୁଁ ‘ଫୁଡ୍‌ ପଏଜନ୍’ ସନ୍ଦେହ, ଗାଁରେ ପହଞ୍ଚିଲେ ଡାକ୍ତରୀଦଳ; ପରିସ୍ଥିତି ନିୟନ୍ତ୍ରଣାଧୀନ

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉପାନ୍ତ ଗୋଛିଦା ତେଘରି ପଞ୍ଚାୟତର ରାଣୀବସାଣ ଗାଁର ଜନୈକ ବ୍ୟକ୍ତିଙ୍କ ଘରେ ବାହାଘର ଚତୁର୍ଥୀ ଭୋଜି ଖାଇ ପ୍ରାୟ ୨୦୦ ଲୋକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ରୁ ଅଧିକ ଲୋକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଭୋଜିରେ ହୋଇଥିବା କୁକୁଡ଼ା ମାଂସ ତରକାରୀ ଖାଇ ଏଭଳି ‘ଫୁଡ୍‌ ପଏଜନ୍’ ହୋଇଥିବା ଜଣାପଡ଼ିଛି। ଗୋଟିଏ ଗାଁର ଏତେ ଲୋକ ଝାଡ଼ାବାନ୍ତିରେ ଅ‌ାକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡ଼ିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ତେବେ ଖବର ପାଇ ଡାକ୍ତରୀ ଦଳ ଗାଁ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବିତରଣ କରିଛନ୍ତି। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. କମଳାକାନ୍ତ ଜେନା କହିଛନ୍ତି। ଏହାଛଡ଼ା ଲୋକଙ୍କୁ ଶୀଘ୍ର ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଚନ୍ଦନେଶ୍ୱର ଓ ଶ୍ରଦ୍ଧାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲାରୁ ମଧ୍ୟ ଡାକ୍ତରୀ ଦଳ ଗାଁରେ ପହଞ୍ଚିଛନ୍ତି। ଡାକ୍ତରୀ ଦଳ ଆଜି ରାତିରେ ଗାଁରେ ରହିଥିବା ଜଣାପଡ଼ିଛି।

ବିବରଣୀରୁ ପ୍ରକାଶ, ରାଣୀବସାଣ ଗାଁର ୧୧୩ଟି ପରିବାରରେ ୬୧୯ଜଣ ଲୋକ ବସବାସ କରନ୍ତି। ଗତ ବୁଧବାର ରାତିରେ ଗାଁର ଗୌରୀଶଙ୍କର ଜେନାଙ୍କ ପୁଅଙ୍କ ବାହାଘରର ଚତୁର୍ଥୀ ଭୋଜି ଥିଲା। ଭୋଜି ପାଇଁ ବାଲିଆପାଳ ଅଞ୍ଚଳରୁ କୁକୁଡ଼ା ଆସିଥିଲା। ସକାଳଠାରୁ ମାଂସ କଟା ହୋଇ ବସ୍ତାରେ ପ୍ୟାକିଂ ହୋଇ ଗାଁରେ ପହଞ୍ଚିବା ପରେ ସନ୍ଧ୍ୟାରେ ରୋଷେଇ ହୋଇ ଲୋକେ ଖାଇଥିଲେ। ଖାଇବା ବେଳେ ମାଂସ ଖରାପ ଥିବା କେତେକ ଲୋକ ସୂଚାଇ ଥିଲେ ମଧ୍ୟ ପରିବାର ଲୋକ ଏହାକୁ କୌଣସି ଗୁରୁତ୍ୱ ନଦେଇ ଅତିଥିମାନଙ୍କୁ ପରଷି ଥିଲେ। ଫଳରେ ରାତିରେ ମାଂସ ଖାଇଥିବା ସମସ୍ତ ଲୋକ ପେଟ ଯନ୍ତ୍ରଣାର ଶିକାର ହୋଇଥିଲେ। ଗୁରୁବାର ସନ୍ଧ୍ୟାରେ କେତେ ଜଣ ଚନ୍ଦନେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ମାତ୍ର ଡାକ୍ତର ସମସ୍ୟା ସମ୍ପର୍କରେ ଜାଣି ନପାରି ସେମାନଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ରାତି ୧୦ଟା ସୁଦ୍ଧା ପ୍ରାୟ ୧୦ରୁ ଅଧିକ ଲୋକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଘଟଣାକୁ ଗୁରୁତ୍ୱ ଦେଇଥିଲେ ଡାକ୍ତରୀ ଦଳ। ଏ ବାବଦରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ଅବଗତ କରାଇଥିଲେ।

ଅପରପକ୍ଷରେ ସ୍ଥାନୀୟ ସରପଞ୍ଚ ନଗେନ୍ଦ୍ରନାଥ ପାତ୍ର ଘଟଣା ସମ୍ପର୍କରେ ଖବର ପାଇ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ମଧ୍ୟ ଅବଗତ କରାଇଥିଲେ। ଶ୍ରୀ ଦାସ ବାଲେଶ୍ୱର ସିଡିଏମ୍‌ଓଙ୍କୁ ଫୋନ୍‌ କରି ତୁରନ୍ତ ଗାଁକୁ ଡାକ୍ତରୀଦଳ ପଠାଇବାକୁ ନିର୍ଦେଶ ଦେଇଥିଲେ। ଖବରପାଇ କଂଗ୍ରେସ ନେତା ସତ୍ୟଶିବ ଦାସ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ଗାଁକୁ ଯାଇଥିବା ଡାକ୍ତରୀଦଳରେ ଡା. ଜେନାଙ୍କ ସମେତ ଡା. ଅଭିଜିତ ପରିଡ଼ା, ଡା. ଦେବକୁମାର ପଣ୍ଡା, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବେଣୁଧର ନାୟକ, ସୁପରଭାଇଜର ପୀୟୁଷକାନ୍ତ ପାତ୍ର, ଫାର୍ମାସିଷ୍ଟ ଭଞ୍ଜକିଶୋର ଜେନା, ନର୍ସ ମଧୁମିତା ଜେନା, ଏଏନ୍‌ଏମ୍‌ ଆରତି ସେନାପତି, ସ୍ବାସ୍ଥ୍ୟକର୍ମୀ ଭାଗୀରଥି ପାତ୍ର, ଆଶାକର୍ମୀ ତିଳୋତ୍ତମା ଗିରି, ବୀଣାପାଣି ଜେନା, ଅଙ୍ଗନବାଡ଼ି କର୍ମୀ ପ୍ରତିମା ପାତ୍ରଙ୍କ ସମେତ ଜିଲ୍ଲାରୁ ଏଡିଏମ୍‌ଓ (ପିଏଚ୍‌) ଡା. ସନ୍ଧ୍ୟାରାଣୀ ପଟ୍ଟନାୟକ, ସୁପର ଭାଇଜର ବ୍ରଜେଶ୍ୱର ନନ୍ଦ, ଅମରେଶ ପୁହାଣ ପ୍ରମୁଖ ସାମିଲ ଥିଲେ। ଏହାଛଡ଼ା ଶଙ୍ଖାରି ସରପଞ୍ଚ ରାଧାବିନୋଦ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଚାନ୍ଦ, ସମିତି ସଦସ୍ୟ ଶରତ ପ୍ରଧାନ, ସମାଜସେବୀ ରାଧ୍ୟାଶ୍ୟାମ ଦେ, ଦିଲ୍ଲୀପ କାମିଳା, ସରୋଜ ପଣ୍ଡା ପ୍ରମୁଖ ସହେଯାଗ କରିଥିଲେ।

ସମ୍ବନ୍ଧିତ ଖବର