କେନ୍ଦ୍ରାପଡ଼ା : ବିବାହ ଭୋଜି ଖାଇ ଗୋଟିଏ ଗାଁର ୫୦ ଜଣ ଆଜି ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ନିଜେ ବର ଓ ତାଙ୍କର ସମ୍ପର୍କୀୟ ଅଛନ୍ତି। ଆହୁରି ବି ୨୦ ମହିଳା ଓ ୪ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପାଖାପାଖି ୧୦ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କୁ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
ଅସୁସ୍ଥ ଲୋକମାନଙ୍କ ଘର କେନ୍ଦ୍ରାପଡାର ଜମଧର ଗ୍ରାମରେ। ଜମଧରର ସାଦେତ୍ ଅଲ୍ଲୀଙ୍କ ପୁଅ ସରାତ୍ (ସ୍ୱରାଜ୍)ଅଲ୍ଲୀଙ୍କ ବିବାହ (ନିକା) ଉତ୍ସବରେ ଯୋଗଦେବା ପାଇଁ ୨ ଶହ ଜଣ ବରଯାତ୍ରୀ ଯାଜପୁର ଜିଲ୍ଲା ଅନ୍ତର୍ଗତ ନାତକାତପୁର ଗାଁକୁ ଯାଇଥିଲେ। ସେହି ଗାଁର ସ୍ୱର୍ଗତ ସଲ୍ଲାଉଦ୍ଦିନ ଖାଁଙ୍କ ଝିଅ ତଥା ନସିରୁଦ୍ଦିନଙ୍କ ଭଉଣୀଙ୍କ ସହିତ ସରାତ୍ଙ୍କର ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ଆଜି ସକାଳେ ସମସ୍ତେ ଜମଧରକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ହଠାତ୍ ୫୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଜଣକ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଇଥିଲେ।
ବର ସରାତ୍ ଓ ତାଙ୍କ ବାପା ସାଦେତ୍ ମଧ୍ୟ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ତୁରନ୍ତ ବଡ଼ଚଣା, ବାଉଜଙ୍ଗ, ଅଡଗପୁର ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର ପିତା ସଦତ୍ ଅଲ୍ଲୀ, କୁନି ବିବି, ରହିମୁନା ପରମିନ୍, ମିର୍ଜା କାସିମ୍ ବେଗ୍, ସେକ୍ ଲିମା ବେଗ୍ , ସବିର ଅଲ୍ଲୀ , ସୁନିଆ , ସେକ୍ ଅପସାନା, ହୁସେନ୍ ବିବି, ଆସରଫ୍ ଅଲ୍ଲୀ, ସଲମନ୍ ଖାଁ, ଜରିନା ବିବି, ରୋମିଆ ପରମିନ୍, ନଗ୍ମା, ଇଲିଆଜ ଅଲ୍ଲୀ ପ୍ରମୁଖ ୨୭ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅନ୍ୟ ୧୪ ଜଣ ବହିର୍ବିଭାଗରେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଚାଲିଯାଇଥିଲେ। ଖବର ଲେଖାହେବା ସୁଦ୍ଧା ୧୦ ଜଣଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ଘରକୁ ଚାଲିଯାଇଥିବା ଜଣାପଡ଼ିଛି।
ବରଯାତ୍ରୀମାନଙ୍କ ମଧ୍ୟରୁ କେତେଜଣଙ୍କ କହିବାନୁସାରେ, ସମ୍ଭବତଃ ବିରିଆନି ପଲାଉ ସହ ଥିବା ଦହି ବିଷାକ୍ତ ହୋଇ ଯାଇଥିବାରୁ ସମସ୍ତେ ଅସୁସ୍ଥ ହୋଇଛନ୍ତି। ଯେଉଁମାନେ ନିରାମିଷ ଖାଇଛନ୍ତି ସେମାନଙ୍କର କିଛି ହୋଇନାହିଁ। ବିଷାକ୍ତ ଖାଦ୍ୟ ଖାଇ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବୈଷ୍ଣବ ଚରଣ ସାହୁ ମଧ୍ୟ ପ୍ରକାଶ କରିଛନ୍ତି ।