ଭୁବନେଶ୍ବର: ସେପ୍ଟେମ୍ବର୧ରେ ସାରା ଭାରତରେ ନୂଆ ମୋଟରଯାନ ଆଇନ ଲାଗୁ କରାଯାଇଥିଲା। ଯାହା ପରେ ପରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ସହ ଲୋକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା। ଜରିମାନାରୁ ବଞ୍ଚିବା ପାଇଁ ଲୋକେ ନିଜ ଗାଡ଼ିର କାଗଜପତ୍ର ତିଆରି କରିବା ଆରମ୍ଭ କରିଥିଲେ। ଖାସ୍ କରି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ ଅଫିସ ବାହାରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଓଡ଼ିଶାରେ ଅନେକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୯୫,୦୦୦ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯାଇଥିବା ଜଣା ପଡ଼ିଛି। ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପରିିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
ସୂଚନା ମୁତାବକ, ସେପ୍ଟେମ୍ବର୧ ଓ ନଭେମ୍ବର ୨୪ ମଧ୍ୟରେ ୧,୪୪,୬୭୫ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୯୫,୨୬୬ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଛି। ସେହିଭଳି ଭାବରେ ୮,୮୯,୦୯୩ଲୋକେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୫,୨୫,୯୬୮ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳି ସାରିଛି।
ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖି ପରିବହନ ମନ୍ତ୍ରୀ କହିଥିଲେ କି, ଭୁବନେଶ୍ବର ଆରଟିଓ-୧ରେ ସର୍ବମୋଟ ୬୩,୦୨୭ଲୋକ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅବେଦନ କରିଥିବା ବେଳେ ୪୫,୩୫୧ଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳି ସାରିଛି। ସେହିଭଳି ୧୨,୫୪୫ ଜଣ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅବେଦନ କରିଥିବା ବେଳେ ୮,୧୦୨ଜଣ ଲୋକ ଲାଇସେନ୍ସ ପ୍ରାପ୍ତ କରିଛନ୍ତି।
ଭୁବନେଶ୍ବର ଆରଟିଓ-୨ରେ ସର୍ବମୋଟ ୩୧,୬୩୭ଜଣ ଲୋକ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅବେଦନ କରିଥିବା ବେଳେ ୨୪,୯୮୭ଜଣଙ୍କୁ ଲାଇସେନ୍ସ ମିଳି ସାରିଛି। ଏହା ସହ ୭,୧୦୯ଜଣ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅବେଦନ କରିଥିବା ବେଳେ ୫,୫୦୫ଜଣଙ୍କୁ ଲାଇସେନ୍ସ ମିଳି ସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/95000-DL_thumb-2.jpg)