ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି ଶହେ ଉପରେ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି ଦୈନିକ କରୋନା ସଂକ୍ରମଣ ଶହେ ଉପରେ ରହିଛି। ୧୮ତାରିଖରେ ୧୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ୧୨୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୨୨ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଭାବେ କରୋନା ସଂକ୍ରମଣ ବଢ଼ି ଚାଲିବା ଚିନ୍ତା ବଢ଼ାଇ ଦେଇଛି।

କଟକରୁ ଲଗାତାର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ଘଣ୍ଟାରେ କଟକରୁ ସର୍ବାଧିକ ୨୬ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ରୁ ୧୬, ମୟୂରଭଞ୍ଜ ୧୫, ଖୋର୍ଧା ୧୪ ଓ ସମ୍ବଲପୁରରୁ ୧୦ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୯୯୪କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୫,୯୧୮ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୦.୪୬ ପ୍ରତିଶତ ରହିଛି। ଯାହାକି ଗତ ୧୮ତାରିଖ ତୁଳନାରେ ୦.୨ ପ୍ରତିଶତ ଅଧିକ। ଏହାସହ ଆଜି ୭୨ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୬୮୨ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ଶିକ୍ଷାନୁଷ୍ଠାନରେ ଯାଞ୍ଚ କଡ଼ାକଡ଼ି ହେବ
ଭୁବନେଶ୍ବର : ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ବାହାରିବା ପରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କୋରନା ପାଇଁ ଉଭୟ ଘରୋଇ ଓ ସରକାରୀ ହଷ୍ଟେଲରେ କଟକଣା ଲାଗୁ ହୋଇଛି। ସରକାରୀ ସ୍କୁଲ ଓ କଲେଜ ହଷ୍ଟେଲରେ କରୋନା ସଂକ୍ରମଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଘରୋଇ ହଷ୍ଟେଲଗୁଡ଼ିକରେ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ତାହାକୁ ବନ୍ଦ କରାଯାଇଛି। ଯେଉଁ ଘରୋଇ ହଷ୍ଟେଲରେ ସଂକ୍ରମଣ ଦେଖାଯାଉଛି ସେଠାରେ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ସମ୍ବନ୍ଧିତ ଖବର