ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ତାର ଆଖପାଖ ଅଞ୍ଚଳରେ ଏକ ସାଇକ୍ଲୋନିକ୍‌ ପ୍ରବାହ ହେତୁ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶୁକ୍ରବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ପାଣିପାଗ କେନ୍ଦ୍ର ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡି ଆଦି ଜିଲ୍ଲା ରହିଛି। ଏହି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (ଅତ୍ୟଧିକ ପ୍ରବଳ) ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଆଦି ଜିଲ୍ଲା ରହିଛି।

ଆସନ୍ତାକାଲି ରାଜ୍ୟର ୫ଟି ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନୂଆପଡ଼ା, କାଲାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଏବଂ ଯାଜପୁର ଆଦି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି। ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେଣୁ ଜରୁରୀ ଥିବା ସମସ୍ତ କାମକୁ ଉକ୍ତ ଜିଲ୍ଲାର ବାସିନ୍ଦା ଶେଷ କରି ଦିଅନ୍ତୁ । ବର୍ଷା ସମୟରେ ଘରୁ ନବାହାରି ଘରେ ହିଁ ସୁରକ୍ଷିତ ଭାବେ ରୁହନ୍ତୁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଉପରୋକ୍ତ ଜିଲ୍ଲାର ବାସିନ୍ଦାଙ୍କୁ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର