କଟକ: ଓଡ଼ିଶାର ବିକାଶକୁ ଶତପ୍ରତିଶତ ନିଶ୍ଚିତ କରିବାକୁ ହେଲେ ଆମକୁ ଏହାର ଇତିହାସକୁ ଜାଣିବାକୁ ପଡିବ। ଇତିହାସ ବିନା ଭବିଷ୍ୟତର ଯୋଜନା କରିବାରେ କୌଣସି ଅର୍ଥ ନଥାଏ। ଓଡ଼ିଶାର ସଂସ୍କୃତି ସହିତ ଆଦିବାସୀଙ୍କ ସଂଯୋଗ ରହିଛି। ସେମାନଙ୍କ ସାମୂହିକ ବିକାଶରେ ରାଜ୍ୟର ବିକାଶ ସମ୍ଭବ ବୋଲି ରେଭେନ୍ସା ଇତିହାସ ବିଭାଗ ପକ୍ଷରୁ ‘ଓଡ଼ିଶା-୨୦୩୬’ରେ ଆଦିବାସୀଙ୍କ ବିକାଶ ପାଇଁ ପ୍ରଶ୍ନ ଓ ଯୋଜନା ପ୍ରସ୍ତୁତି ଶୀର୍ଷକ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ହରମାନ କୁଲକେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ସହିତ ଆଦିବାସୀ ସଂସ୍କୃତିର ସମ୍ମିଳନ ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ଓଡ଼ିଶାର ମୋଟ ଜନସଂଖ୍ୟାର ୨୪ ପ୍ରତିଶତ ଆଦିବାସୀଙ୍କ ସମୂହ ବିକାଶ ବିନା ଓଡ଼ିଶାର ବିକାଶ ହୋଇପାରିବ ନାହିଁ ବୋଲି କହିଥିଲେ। ରାଜ୍ୟର ବିକାଶ ନାମରେ ଆଦିବାସୀଙ୍କ ସଂସ୍କୃତି, ବାସସ୍ଥାନ, ଜୀବନଚର୍ଯ୍ୟାକୁ ନଷ୍ଟ କରାଯାଉଛି। ଧାନକୁ ଆବିଷ୍କାର କରିଥିବା ଆଦିବାସୀକୁ ଚାଷ ବଦଳରେ କାରଖାନରେ କାମ କରିବାକୁ ବାଧ୍ୟ କରାଯାଉଛି। ଯାହାକୁ ସାଧାରଣ ଆଦିବାସୀଟିଏ ସହଜରେ ଗ୍ରହଣ କରିପାରୁ ନାହିଁ। ଆଦିବାସୀଙ୍କୁ ସେମାନଙ୍କ ଭୂମିରେ, ସେମାନଙ୍କ ଭାଷାରେ ଶିକ୍ଷା ପ୍ରଦାନ କରାଗଲେ ତାହା ତାଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ। କୁଳପତି ପ୍ରଫେସର ଈଶାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଂପାଦକ ଜି.ଭି.ବେଣୁଗୋପାଳ ଶର୍ମା, ପ୍ରଫେସର ନାରାୟଣ ରାଓ, ପ୍ରଫେସର ଭୈରବୀ ପ୍ରସାଦ ସାହୁ, ଉବେଦ କୋଡା, ଡକ୍ଟର ଏସ୍.ବି.ଓତା, ଡକ୍ଟର ନିବେଦିତା ମହାନ୍ତି, ଓମ୍ .ଜି. ଉପାଧାୟ, ସ୍ତମ୍ଭକାର ଅସିତ ମହାନ୍ତି, ପ୍ରଫେସର ହିମାଂଶୁ ଶେଖର ଖୁଣ୍ଟିଆ, ବିଜୟ ପଢିହାରି, ଡକ୍ଟର ବିଷ୍ଣୁ ଚରଣ ଦାସ, ଶ୍ରୀନିବାସ ଜେନା ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଉତ୍ସବରେ ପ୍ରଦ୍ମଶ୍ରୀ ପ୍ରଫେସର ହରମାନ କୁଲକେଙ୍କୁ ଡି.ଲିଟି ସମ୍ମାନରେ ସମ୍ମାନିତ କରାଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ଚଣ୍ଡିପ୍ରସାଦ ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ।
‘ଆଦିବାସୀଙ୍କ ବିକାଶ ବିନା ସାମଗ୍ରିକ ବିକାଶ ଅସମ୍ଭବ’
ରେଭେନ୍ସା ଇତିହାସ ବିଭାଗ ଆଲୋଚନାଚକ୍ର ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/IMG-20180109-WA0024.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)