ପୁରୀ : ଦୁର୍ଗାପୂଜା ପାଇଁ ବିଶ୍ବର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ର ବି ଉତ୍ସବମୁଖର ହୋଇଛି। ଏଭଳି ସ୍ଥିତିରେ ସୋମବାର ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଲମ୍ବାଧାଡ଼ିରେ ରହି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦର୍ଶନ ପାଇଁ ଆଜି ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।
ଶ୍ରୀମନ୍ଦିରରେ ବି ଷୋଳପୂଜା ଚାଲିଥିବାରୁ ମା’ ବିମଳାଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଚାଲିଛି। ଏହି ଉପଲକ୍ଷେ ମହାପ୍ରଭୁଙ୍କ ନୀତିକାନ୍ତି ବି ବିଳମ୍ବ ହେଉଛି। ରବିବାର ରାତି ପ୍ରାୟ ୧୨ଟା ୧୫ରେ ରାତ୍ର ପହୁଡ଼ ପରେ ସୋମବାର ସକାଳ ୭ଟା ୪୦ରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ୮ଟା ୨୦ରେ ମଙ୍ଗଳ ଆଳତି ପରେ ଦର୍ଶନ ଆରମ୍ଭ ହୋଇଥିଲା। ଏଣୁ ଯେଉଁ ଭକ୍ତମାନେ ଦର୍ଶନ ପାଇଁ ଆସିଥିଲେ, ସେମାନେ ସକାଳୁ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ମଧ୍ୟାହ୍ନ ପର୍ଯ୍ୟନ୍ତ ଏହି ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ମରିଚିକୋଟ ଛକ ପର୍ଯ୍ୟନ୍ତ ଦୁଇଟି ଧାଡ଼ିରେ ରହି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ପରେ ସଂଧ୍ୟାରେ ବି ଭିଡ଼ ଦେଖିବାକୁ ମିଳିଥିଲା। ହଜାର ହଜାର ଭକ୍ତ ସୋମବାର ଦିନ ମହାନବମୀରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେପଟେ ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।