ଆନନ୍ଦପୁର : କୋଭିଡ଼ ଟିକାପାଇଁ ସାମାଜିକ ଦୂରତା ମାନିଲେନି ଲୋକେ। ରାତି ଉଜାଗର ରହି ଟିକାକରଣ କେନ୍ଦ୍ର ଆଗରେ ଭିଡ଼ ଜମାଇଲେ। ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ଅଣଦେଖା ଯୋଗୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଟିକାକରଣ କେନ୍ଦ୍ରରେ ସୋମବାର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଏପଟେ କୋଭିଡ଼ ସଂକ୍ରମଣରେ ରୋକ୍ ଲଗାଇବାପାଇଁ ସରକାର ଲକ୍ଡ଼ାଉନ୍ କଟକଣା ଲାଗୁ କରିଥିବାବେଳେ ପ୍ରଶାସନିକ ଅଧିକାରୀଙ୍କ ନାକତଳେ ଏଭଳି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ସୋମବାର ଦିନ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଟିକାକରଣ କେନ୍ଦ୍ରରେ କେବଳ ମ୍ୟୁନିସିପାଲିଟିର ଜନସାଧାରଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦେବାପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ସକାଳ ୮ଟାରୁ ସିରିଏଲ କରିବାକୁ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ଏହାର ପ୍ରଚାର ପ୍ରସାର ଅଭାବରୁ ଟିକା ନେବାପାଇଁ ପୌରାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଗହଳି ପରିଲକ୍ଷିତ ହୋଇଥିଲା। ରାତି ୨ଟାରୁ ଲୋକମାନେ ହସପିଟାଲ ପରିସରରେ ପହଞ୍ଚିବା ସହିତ ଧୀରେଧୀରେ ଗହଳି ଆରମ୍ଭ ହୋଇଥିଲା। ଟିକା ନେବାପାଇଁ ଲୋକମାନେ ଧାଡ଼ିରେ ଛିଡା ହେବାସହିତ ନିଜନିଜ ମଧ୍ୟରେ ସିରିଏଲ ଆରମ୍ଭ କରି ଦେଇଥିଲେ। କେତେକ ସ୍ଥାନୀୟ ଲୋକମଧ୍ୟ ଆଧାରକାର୍ଡ଼ ଆଦାୟ କରି ଭିନ୍ନ ଭିନ୍ନ ସିରିଏଲ କରିଥିଲେ।

publive-image

ଆଜି ୧୫୦ଡୋଜ୍ ଟିକା ଦେବାପାଇଁ ଘୋଷଣା କରାଯାଇଥିବାବେଳେ ସକାଳ ୭ଟା ବେ‌ଳକୁ ପାଖାପାଖି ଏକହଜାର ଲୋକ ଟିକା ନେବାପାଇଁ ପହଞ୍ଚିଥିଲେ। ସୂଚନା ଅଭାବରୁ କେତେକ ପ୍ରଥମ ଡୋଜ୍ ନେବାପାଇଁ ମଧ୍ୟ ଆସି ପହଞ୍ଚିଥିଲେ। ଲୋକମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତା ରହି ନଥିବାବେଳେ ଅନେକ ମାସ୍କ ନାକ ତଳକୁ ମଧ୍ୟ ପିନ୍ଧିଥିବା ପରିଲକ୍ଷିତ ହୋଇଥିଲା। ଏପଟେ ଟିକାପାଇଁ ଲୋକମାନଙ୍କ ମଧ୍ୟରେ ପାଟିତୁଣ୍ଡ ଝଗଡ଼ା ଆରମ୍ଭ ହୋଇଯାଇଥିଲା।

ବିଳମ୍ବରେ ଖବରପାଇ ଘସିପୁରା ବିଡ଼ିଓ ଅସିତ୍ ମହାନ୍ତି, ତହସିଲଦାର ବାବୁଲ ପେରେଇ, ପୌରନିର୍ବାହୀ ଅଧିକାରୀ ବିପିନ୍ ପ୍ରଧାନ,ଏସ୍ଡ଼ିପିଓ ରବୀନ୍ଦ୍ର ମଲ୍ଲିକ୍, ଥାନା ଅଧିକାରୀ ମନୋରଂଜନ ବିଶି, ହସପିଟାଲ ମ୍ୟାନେଜର ଅବିନାଶ ଧଳ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଦୀର୍ଘସମୟ କରି ଗରମରେ ଅପେକ୍ଷା କରିଥିବା ଲୋକମାନେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତାକୁ ନେଇ ବର୍ଷିଥିଲେ। ଟିକାପାଇଁ ଧାଡ଼ିରେ ଅପେକ୍ଷା କରିଥିବା ଦୁଇଜଣ ବୟସ୍କା ମହିଳା ଖରା, ଗରମରେ ବେହୋସ ହୋଇପଡିଥିଲେ। ଆଜିର ଏହି ଲୋକମାନଙ୍କ ଭିଡ଼ରେ କରୋନା ସଂକ୍ରମଣକୁ ନେଇ ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତାକାଲି ଠାରୁ ପର୍ଯ୍ୟାୟକ୍ରମେ ଲୋକମାନଙ୍କୁ ଟିକା ଦିଆଯିବାକୁ ସ୍ଥିର ହୋଇଥିବାବେଳେ ମଙ୍ଗଳବାର ୧, ୨ ଓ ୩ନମ୍ବର ୱାର୍ଡ଼ର ଜନସାଧାରଣଙ୍କୁ ଟିକା ଦିଆଯିବାକୁ ସ୍ଥିର ହୋଇଥିବା ନେଇ ହସପିଟାଲ ମ୍ୟାନେଜର ଅବିନାଶ ଧଳ ପ୍ରକାଶ କରିଛନ୍ତି।