ଟିକା ପାଇଁ ଠିଆହେଲେ ଖରାରେ; ୫ଶହ ଭ୍ୟାକସିନ୍‌କୁ ହଜାରେ ଲୋକ, ୮ ଦିନରେ ଥରେ ହେଲା ଟିକାକରଣ

ପୁଣି ଶନିବାର ଓ ରବିବାର ବନ୍ଦ ରହିବ

ବ୍ୟାସନଗର : ଟିକା ନେବା ପାଇଁ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଭିଡ଼। ଭ୍ୟାକ୍‌ସିନ ନଥିବାରୁ ଦୀର୍ଘ ଆଠଦିନ ବନ୍ଦ ରହିବା ପରେ ଶୁକ୍ରବାର ଦିନ ଏଠାରେ ଟିକା ଦିଆଯାଇଥିଲା। ଏ ଖବର ପାଇବା ପରେ ଭୋର୍‌ ସମୟରୁ ଲୋକଙ୍କ ଧାଡ଼ି ଲାଗିଥିଲା। ୫ ଶହ ଭ୍ୟାକସିନ ଆସିଥିବାବେଳେ ୧ ହଜାରରୁ ଊର୍ଦ୍ଧ୍ବ ଲୋକ ଟିକା ନେବାକୁ ପହଞ୍ଚିଥିଲେ। ଫଳରେ ପ୍ରବଳ ଗହଳି ସାଙ୍ଗକୁ ଲମ୍ବାଧାଡ଼ି ଲାଗିଯାଇଥିଲା। ଘଣ୍ଟାଘଣ୍ଟା ଧରି ଖରାରେ ଠିଆହୋଇଥିଲେ ମହିଳା ଓ ପୁରୁଷ। ଖରାରେ ଏତେ ସମୟ ଧାଡ଼ିରେ ଠିଆ ହୋଇ ନପାରି ବହୁ ଲୋକ ଟଣାଯାଇଥିବା ଗୋଲେଇ ଭିତରେ ଜୋତା ଓ ପାଣି ବୋତଲ ରଖିଥିବା ଦେଖିବାକୁ ମିଳିଥିଲା।

୮ଦିନ ହେଲା ଭ୍ୟାକ୍‌ସିନ ନଥିଲା। ତାହା ଆସିଲା ପରେ ଶୁକ୍ରବାର ଟିକା କେନ୍ଦ୍ର ଖୋଲା ରହିବ ଏବଂ ଟିକାକରଣ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ଗତକାଲି ସୂଚନା ଦେଇଥିଲେ। ସଂପ୍ରତି କରୋନାର ଭୟାବହତାକୁ ଦେଖି ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି। ଟିକାକେନ୍ଦ୍ର ସକାଳ ୮ଟାରୁ ଖୋଲୁଥିବାବେଳେ ଭୋର୍‌ରୁ ଭିଡ଼ ଜମିଥିଲା। ଏତେ ସଂଖ୍ୟାରେ ଲୋକ ଆସିବାରୁ ସାମାଜିକ ଦୂରତା ମଧ୍ୟ ରହି ନଥିଲା। କୌଣସି ମେଳା ଲାଗିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ୧୨ଟାରେ ଟିକାକରଣ ବନ୍ଦ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଉଦ୍ୟମ କରିବାରୁ ପ୍ରବଳ ବିରୋଧ ହୋଇଥିଲା। ‘ଆମେ ଭୋରରୁ ଟିକା ନେବାକୁ ଆସିଛୁ, ଆମକୁ ଭ୍ୟାକସିନ୍ ଦେବା ପରେ ଖାଇବାକୁ ଯିବ’ ବୋଲି ଅନେକ ଜିଦ୍‌ ଧରିଥିଲେ। ତେଣୁ ଟିକାକରଣ ଜାରି ରହିଥିଲା। ସନ୍ଧ୍ୟାରେ ରାତି ୮ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିଲା।

ଅନ୍ୟପଟେ ଟିକା କମ୍‌କୁ ଲୋକ ବେଶି ହେବାରୁ ଅଧିକାଂଶ ଟିକା ନପାଇ ନିରାଶ ହୋଇ ଫେରିଥିବା ଦେଖାଯାଇଥିଲା। ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ ସମୟରେ ଟିକାକରଣ ବନ୍ଦ ରହିବ। ଏଣୁ ସୋମବାର ଭ୍ୟାକସିନ ଆସିଲେ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସନ୍ତୋଷ କୁମାର ପୃଷ୍ଟି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର